ନୂଆଦିଲ୍ଲୀ : ପାକିସ୍ତାନ ଅଲରାଉଣ୍ଡର ଇମାଦ ୱାସିମ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୪ ବର୍ଷୀୟ ଇମାଦ ପାକିସ୍ତାନ ତରଫରୁ ୧୨୧ଟି ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଶେଷ ଥର ପାଇଁ ଚଳିତ ବର୍ଷ ଏପ୍ରିଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ଇମାଦ ସ୍ୱୀକାର କରିଛନ୍ତି ଯେ ଗତ କିଛି ଦିନ ହେବ ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଭବିଷ୍ୟତକୁ ନେଇ ଚିନ୍ତା କରୁଥିଲେ । ଦିନିକିଆ ଓ ଟ୍ୱେଣ୍ଟି-୨୦ ଫର୍ମାଟରେ ମୋର ୧୨୧ ମ୍ୟାଚ୍ ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି । ଇମାଦ ୨୦୧୫ ମେ’ରେ ପାକିସ୍ତାନ ପକ୍ଷରୁ ଏକ ଟି-୨୦ ମ୍ୟାଚ୍ ଖେଳି ଡେବ୍ୟୁ କରିଥିଲେ ଏବଂ ଏହାର ମାତ୍ର ଦୁଇ ମାସ ପରେ ଦିନିକିଆରେ ମଧ୍ୟ ନିଜର କମାଲ ଦେଖାଇଥିଲେ । ବର୍ଷ ବର୍ଷ ଧରି ସେ ବିଶେଷ କରି ଛୋଟ ଫର୍ମାଟରେ ବଲ୍ ସହିତ ଅତ୍ୟନ୍ତ କୃପଣ ଭାବେ ଖେଳିବା ପାଇଁ ଖ୍ୟାତି ଅର୍ଜନ କରିଥିଲେ ଏବଂ ଅନ୍ତିମଆଡକୁ ଜଣେ ଉପଯୋଗୀ ହିଟର ଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୨୦୧୭ରେ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର ସଦସ୍ୟ ଥିଲେ ଏବଂ ସେ ଦିନିକିଆ ମ୍ୟାଚରେ ମଧ୍ୟ ଦଳର ନେତୃତ୍ୱ ନେଇଥିଲେ । ତେବେ ଗତ ତିନି ବର୍ଷ ମଧ୍ୟରେ ସେ ପାକିସ୍ତାନ ପାଇଁ ୫୦ ଓଭର ଫର୍ମାଟରେ କୌଣସି ମ୍ୟାଚ୍ ଖେଳି ନାହାନ୍ତି ଏବଂ ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ଦଳରେ ମଧ୍ୟ ସ୍ଥାନ ପାଇନଥିଲେ । ଏବେ ଇମାଦ ବିଶ୍ୱର ବିଭିନ୍ନ ଲିଗରେ ଖେଳିବା ଜାରି ରଖିବେ ।