ନୂଆଦିଲ୍ଲୀ: ଲେବାନନ୍ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ ହୋଇ ରହିଛନ୍ତି ଓ ସେମାନେ ଯେକୌଣସି ମୁହୂର୍ତ୍ତରେ ଭୟାବହ କାଣ୍ଡ ଘଟାଇ ପାରନ୍ତି ବୋଲି ଇରାନ୍ର ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର୍-ଅବ୍ଦୋଲ୍ଲାହିଆନ୍ ଗଣମାଧ୍ୟମ ‘ମର୍ଣ୍ଣିଙ୍ଗ୍ ଏଡିସନ୍’ର ପ୍ରତିନିଧି ଷ୍ଟିଭ୍ ଇନ୍ସ୍କିପ୍ଙ୍କ ସହିତ ନ୍ୟୁୟର୍କ ସହରରେ କରିଥିବା ସାକ୍ଷାତ୍କାର ବେଳେ କହିଛନ୍ତି।ଚଳିତ ସପ୍ତାହରେ ଲେବାନନ୍ରେ ସେ ପ୍ରତିରୋଧୀ ନେତା ଓ ପାଲେଷ୍ଟିନୀୟ ସଙ୍ଗଠନକୁ ଭେଟିଥିଲେ। ସେମାନେ ଯେଉଁ ସବୁ ଯୋଜନା କରିଛନ୍ତି ଆପଣମାନେ ଦେଖିଥିବା ଆକ୍ରମଣଠାରୁ ଅଧିକ ଶକ୍ତିଶାଳୀ ଓ ଭୟଙ୍କର। ଯଦି ଏମିତି ପରିସ୍ଥିତି ଲାଗିରହେ ଏବଂ ଗାଜା ଓ ୱେଷ୍ଟ୍ ବ୍ୟାଙ୍କ୍ରେ ମହିଳା, ପିଲା ଓ ସାଧାରଣ ନାଗରିକ ମରନ୍ତି ତେବେ, ଯେକୌଣସି ପ୍ରକାର ଭୟବହ କାଣ୍ଡ ଘଟିପାରେ।
ଇରାନ୍ ହମାସ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବ କି, ବୋଲି ପଚରାଯିବାରୁ ଅବ୍ଦୋଲ୍ଲାହିଆନ୍ କହିଲେ, ହମାସ୍ର ଯଥେଷ୍ଟ ସଂଖ୍ୟକ କ୍ଷେପଣାସ୍ତ୍ର, ରକେଟ୍ ଓ ଡ୍ରୋନ୍ ଅଛି। ସେମାନେ ମଧ୍ୟ ଏ ସବୁ ସହଜରେ ଯେକୌଣସି ସ୍ଥାନରୁ ପାଇପାରିବେ।
ସୂଚନାଯୋଗ୍ୟ, ସେ ଅଞ୍ଚଳରେ ଇରାନ୍ ଅସଂଖ୍ୟ ଆତଙ୍କବାଦୀ ସଙ୍ଗଠନର ପୃଷ୍ଠପୋଷକତା କରୁଛି। ଗତ କିଛି ବର୍ଷ ହେବ ଲେବାନନ୍, ୟେମେନ୍, ସରିୟା, ଇରାକ୍ ଓ ଗାଜାରେ ଇରାନ୍ ଅନେକ ଆତଙ୍କବାଦୀ ସଙ୍ଗଠନକୁ ତାଲିମ୍ ଓ ଅସ୍ତ୍ରଶସ୍ତ୍ର ଦେଇଛି। ୨୦୦୭ରୁ ହମାସ୍ ଗାଜାରେ ଶାସନ ଚଳାଇ ଆସୁଛି।