ଅହମ୍ମଦାବାଦ : ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଛକା ମାରିବାର ରେକର୍ଡ ଏବେ ରୋହି ଶର୍ମାଙ୍କ ନାମରେ ରହିଛି । ପୂର୍ବରୁ ଏହା ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାମରେ ରହିଥିଲା । ରୋହିତ ୟୁନିଭର୍ସ ବସ୍ ଗେଲଙ୍କ ରେକର୍ଡ ଅତିକ୍ରମ ନେଇ ଗେଲ ନିଜେ ରୋହିତଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି, ଆମେ ଦୁହେଁ ଗୋଟିଏ ଜର୍ସି ପିନ୍ଧିଥାଉ ଯାହର ନମ୍ବର ୪୫ । ମୁଁ ଖୁସି ଯେ ୪୫ ନମ୍ବର ଜର୍ସିଧାରୀ ହିଁ ଏହି ରେକର୍ଡ ଭାଙ୍ଗିଛି । ଗେଲ୍ ଟ୍ୱିଟରରେ ରୋହିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାର ଜବାବ ଭାରତୀୟ ଅଧିନାୟକ ମଧ୍ୟ ନିଜ ଢଙ୍ଗରେ ଦେଇଛନ୍ତି । ରୋହିତ କହିଛନ୍ତି କି, ଆମେ ଉଭୟ ୪ ଓ ୫ ଜର୍ସି ପିନ୍ଧିଲେ ମଧ୍ୟ ଆମର ଲକ୍ଷ୍ୟ କେବଳ ଛକା ।
ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ୮୪ ବଲରୁ ୧୩୧ ରନ୍ କରିବା ସହ େଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବା ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି । ସେ ଏହି ମାମଲାରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ଙ୍କୁ ପଛରେ ପକାଇ ଦେଇଛନ୍ତି । ଗେଲ୍ଙ୍କଠାରୁ ଦୁଇଟି ଛକା ପଛରେ ରହି ଭାରତୀୟ ଅଧିନାୟକ ରୋହିତ ଆଫଗାନିସ୍ତାନ ବିପକ୍ଷରେ ୫୫୧ ଛକା ସହ ଇନିଂସ୍ ଆରମ୍ଭ କରିଥିଲେ । ନବୀନ-ଉଲ୍-ହକ୍ଙ୍କ ବଲରେ ସେ ଛକାମାରି ଏହି ରେକର୍ଡ କରିଥିଲେ । ଭାରତର ବିଜୟ ପରେ ରୋହିତ କହିଥିଲେ ଯେ ଛକା ମାରିବା ଯାତ୍ରାରେ ସେ ନିଜେ ଗେଲଙ୍କଠାରୁ ପ୍ରେରଣା ନେଇଥିଲେ । ୟୁନିଭର୍ସ ବସ୍ ହେଉଛନ୍ତି ଗେଲ ବୋଲି ରୋହିତ କହିଛନ୍ତି । ମୁଁ ତାଙ୍କ ବହିରୁ ଏକ ପତ୍ର ବାହାର କରିଛି । ବର୍ଷ ବର୍ଷ ଧରି ଆମେ ତାଙ୍କୁ ଦେଖିଛୁ, ଏଭଳି ଛକା ମାରିବାର ମେସିନ୍ ସେ । ରୋହିତ ଏହି ରେକର୍ଡକୁ ଭାଙ୍ଗିବା ପାଇଁ ୪୫୩ଟି ମ୍ୟାଚ୍ ଖେଳିଥିଲେ, ଯାହା ଗେଲଙ୍କ ଠାରୁ ୩୦ଟି କମ୍ ଥିଲା । ଗେଲ୍ ୪୮୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୫୫୩ଟି ଛକା ମାରିଥିଲେ ।