ୱାଶିଂଟନ: ପୃଥିବୀର ଶକ୍ତିଶାଳୀ ଇଲେକ୍ଟ୍ରନ୍ ଚନ୍ଦ୍ରରେ ଜଳ ସୃଷ୍ଟି କରୁଥିବା ଚନ୍ଦ୍ରଯାନ-୧ର ତଥ୍ୟ ଉପରେ ଅଧ୍ୟୟନ କରୁଥିବା ଆମେରିକାର ହାୱାଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦାବି କରିଛନ୍ତି । ପାଣିପାଗ ପରିବର୍ତ୍ତନ ପାଇଁ ଦାୟୀ ଏହି ଇଲେକ୍ଟ୍ରନ୍ ପୃଥିବୀର ପ୍ଲାଜ୍ମା ଶିଟ୍ ଉପରେ ରହିଛି । ଅର୍ଥାତ୍ ଏହାର ଉପସ୍ଥିତି କାରଣରୁ ହିଁ ପୃଥିବୀରେ ପାଣିପାଗ ପରିବର୍ତ୍ତନ ହେଉଛି । ଏହି ଇଲେକ୍ଟ୍ରୋନ୍ ଚନ୍ଦ୍ରରେ ଥିବା ପଥର ଏବଂ ଖଣିଜକୁ ଭାଙ୍ଗିବା କିମ୍ବା ତରଳାଉଥିବାରୁ ସେଠାକାର ପାଣିପାଗରେ ପରିବର୍ତ୍ତନ ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଇଲେକ୍ଟ୍ରୋନ୍ ଚନ୍ଦ୍ରରେ ଜଳ ସୃଷ୍ଟିରେ ସହାୟତା କରୁଥିବା ‘ନେଚର୍ ଅଷ୍ଟ୍ରୋନୋମି’ ଜର୍ଣ୍ଣାଲ୍ରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି
। ଏହା ପୂର୍ବରୁ ୨୦୦୮ରେ ପଠାଯାଇଥିବା ଚନ୍ଦ୍ରଯାନ-୧ ମିଶନ୍ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ସମ୍ପର୍କରେ ସଙ୍କେତ ଦେଇଥିଲା । ସେହି ମିଶନ୍ର ଏକ ଗବେଷଣା ଆଧାରରେ ଚନ୍ଦ୍ରରେ ବରଫ ଥିବା ମଧ୍ୟ ଦାବି କରାଯାଇଥିଲା । ଏହାପରେ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ଚନ୍ଦ୍ରର ମେରୁ ଅଞ୍ଚଳରେ ସୂର୍ଯ୍ୟ କିରଣ ନପହଞ୍ଚିବା କାରଣରୁ ସେଠାକାର ତାପମାତ୍ରା ମାଇନସ୍ ୨୦୦ ଡିଗ୍ରୀରୁ କମ୍ ହୋଇପାରେ, ଯାହା ବରଫ ଅବସ୍ଥାରେ ଜଳର ଉପସ୍ଥିତି ସମ୍ପର୍କରେ ଇଙ୍ଗିତ କରୁଛି । ଏହାର ଅନୁଧ୍ୟାନ ପାଇଁ ଇସ୍ରୋ ପକ୍ଷରୁ ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ପଠାଯାଇଛି ।
ଅଧ୍ୟୟନ ଅନୁସାରେ ପ୍ରୋଟନ୍ ପରି ଉଚ୍ଚ ଶକ୍ତିସମ୍ପନ୍ନ ପାର୍ଟିକଲ୍ରୁ ନିର୍ମିତ ସୋଲାର୍ ୱିଣ୍ଡ୍ ଚନ୍ଦ୍ରପୃଷ୍ଠରେ ବର୍ଷା ହେବା କାରଣରୁ ଚନ୍ଦ୍ରରେ ଜଳ ସୃଷ୍ଟି ହେଉଛି । ପୃଥିବୀର ମ୍ୟାଗ୍ନେଟୋଟେଲ୍ ଦେଇ ଚନ୍ଦ୍ର ଗତି କରୁଥିବା ବେଳେ ବୈଜ୍ଞାନିକମାନେ ସେଠାକାର ପାଣିପାଗରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରିଛନ୍ତି । ବୈଜ୍ଞାନିକ ଶୁଆଈ ଲି କହିଛନ୍ତି, ଚନ୍ଦ୍ର ମ୍ୟାଗ୍ନେଟୋଟେଲ୍ ବାହାରେ ଥିବାବେଳେ ଏହାର ପୃଷ୍ଠରେ ସୋଲାର ୱିଣ୍ଡ୍ ବର୍ଷା ହୋଇଥାଏ । ସେହିପରି ଯେତେବେଳେ ଚନ୍ଦ୍ର ମ୍ୟାଗ୍ନେଟୋଟେଲ୍ ମଧ୍ୟରେ ଥାଏ ସେତେବେଳେ ସୋଲାର ୱିଣ୍ଡ୍ ବର୍ଷା ହୋଇନଥାଏ । ଏହି ଅବସରରେ ହିଁ ଜଳ ସୃଷ୍ଟି ହୋଇଥାଏ ବୋଲି ଅଧ୍ୟନରେ ଦାବି କରାଯାଇଛି ।