ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟର ସୁରେଶ ରାଇନା ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ବ୍ୟାଟିଂ ପୋଜିସନ୍ ନେଇ ନିଜ ମତ ଦେଇଛନ୍ତି । ଏବେ ଭାରତୀୟ ଦଳରେ ତିନିଜଣ ଓପନର ରୋହିତ ଶର୍ମା, ଶୁବମାନ୍ ଗିଲ୍ ଓ ଇଶାନ୍ କିଶାନ୍ ରହିଛନ୍ତି । ତେବେ ଇଶାନ୍ କିଶାନ୍ ଓପନିଂ କରିବା ଜରୁରୀ ବୋଲି ସେ କହିଛନ୍ତି । ପ୍ରତମରୁ ପଞ୍ଚମ ସ୍ଥାନ ପର୍ଯ୍ୟନ୍ତ ସବୁସ୍ଥାନରେ ବ୍ୟାଟିଂ କରୁଥିବା ଇଶାନ୍ ଓପନିଂ ପାଇଁ ସବୁଠାରୁ ଭଲ ପସନ୍ଦ ବୋଲି ସେ କହିଛନ୍ତି ।
ତାଙ୍କ ମତରେ ଇଶାନ୍ ଝାଡଖଣ୍ଡ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିୟମିତ ଓପନିଂ କରୁଥିବା ବେଳେ ଭାରତ ପକ୍ଷରୁ ମଧ୍ୟ ବହୁତ ମ୍ୟାଚ୍ ଓପନିଂ କରିଛନ୍ତି । ଓପନିଂରେ ତାଙ୍କଠାରୁ ଦ୍ରୁତ ରନ୍ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ପକେଟ୍ ଡାଏନାମୋ ଭାବେ ପରିଚିତ ଏହି ବାମହାତୀ ବ୍ୟାଟରଙ୍କ ସହ ରୋହିତ କିମ୍ବା ଗିଲ ଯେ କେହି ବି ଓପନିଂ କଲେ ଠିକ୍ ହେବ । ଉଭୟ ବାମ ଓ ଡାହାଣ ହାତୀ ସଂଯୋଗ ବିପକ୍ଷ ଦଳ ପାଇଁ ସମସ୍ୟା ସୃଷ୍ଟି କରିବ । ଯାହାର ଫାଇଦା ଦଳକୁ ହେବ ବୋଲି ରାଇନା କହିଛନ୍ତି ।