ନୂଆଦିଲ୍ଲୀ: ବ୍ରିଟେନର ରାଷ୍ଟ୍ରାୟତ୍ତ ଏଜେନ୍ସି ନ୍ୟାସନାଲ ହେଲଥ୍ ସର୍ଭିସ (ଏନ୍ଏଚ୍ଏସ୍) ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ । ଏହା ଦ୍ୱାରା କର୍କଟ ରୋଗର ଚିକିତ୍ସା ପାଇଁ ଲାଗିଥିବା ସମୟକୁ ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ । ଇଂଲଣ୍ଡର ମେଡିସିନ ଆଣ୍ଡ୍ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି (ଏମଏଚଆରଏ)ର ଅନୁମୋଦନ ପରେ ଏନଏଚଏସ୍ ଇଂଲଣ୍ଡ ମଙ୍ଗଳବାର କହିଛି ଯେ ଆଟେଜୋଲିଜୁମାବ ଇଂଜେକ୍ସନ ଏହି ଚମତ୍କାର କରିଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଶତାଧିକ ରୋଗୀଙ୍କୁ “ଚର୍ମ ତଳେ” ଏହି ଇଞ୍ଜେକ୍ସନ ଦିଆଯିବ । ଏହା ଦ୍ୱାରା କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ସମୟ ମିଳିବ ।
ରୋଚେ ପ୍ରଡକ୍ଟସ ଲିମିଟେଡର ମେଡିକାଲ ଡାଇରେକ୍ଟର ମାରିଅସ୍ ସୋଲଜ୍ କହିଛନ୍ତି, ପୂର୍ବରୁ ଡ୍ରିପ (ସାଲାଇନ) ମାଧ୍ୟମରେ ଦିଆଯାଉଥିବା ଔଷଧ କ୍ରିୟାଶୀଳ ହେବାକୁ ୩୦ରୁ ୬୦ ମିନିଟ୍ ସମୟ ଲାଗୁଥିଲା, କିନ୍ତୁ ଆଟେଜୋଲିଜୁମାବ ସିଧାସଳଖ ଶିରାରେ ଦିଆଯାଉଥିବାରୁ ତାହା ପ୍ରାୟ ୭ ମିନିଟ୍ ସମୟ ରେ କାମ କରୁଛି । ଏହା ଫଳରେ କମ ସମୟରେ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇପାରୁଛି । ଏହି ଇଂଜେକ୍ସନ ଜେନେନଟେକ୍ ଦ୍ୱାରା ତିଆରି କରାଯାଇଛି । ଏହା ହେଉଛି ଏକ ଇମ୍ୟୁନୋଥେରାପି, ଯାହା ରୋଗୀର ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରି କର୍କଟ କୋଷଗୁଡ଼ିକୁ ଖୋଜିବା ଏବଂ ନଷ୍ଟ କରିବାରେ ସକ୍ଷମ କରିଥାଏ । ଏହା ବର୍ତ୍ତମାନ ଫୁସଫୁସ, ସ୍ତନ, ଯକୃତ ଏବଂ ମୂତ୍ରାଶୟ ସମେତ ବିଭିନ୍ନ ପ୍ରକାର କର୍କଟ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ଚିକିତ୍ସା କରୁଛି ଏନଏଚଏସ୍ । ଇଂଲାଣ୍ଡରେ ପ୍ରତିବର୍ଷ ପ୍ରାୟ ୩୬୦୦ ଲୋକଙ୍କୁ ଏହି ଇଂଜେକ୍ସନ ଦିଆଯାଉଛି । ଏହି ଔଷଧ ଶରୀରର ରୋଗପ୍ରତିରୋଧକ ଶକ୍ତି ସହ ମିଶି କର୍କଟ କୋଷକୁ ନଷ୍ଟ କରିବାକୁ ଉଦ୍ୟମ କରିଥାଏ ।