ବ୍ୟୁରୋ: ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ। ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ । ନାରାବାଜି ସହିତ ଆନ୍ଦୋଳନକୁ ଓହ୍ଲାଇଲେ ସମସ୍ତେ । ଏ ଘଟଣା ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ବେରବୋଇ ହାଇସ୍କୁଲର । ୧୯୫୦ ମସିହାରେ ସ୍ଥାପିତ ହେଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢାଯାଉଛି । ତେବେ ନବମ ଦଶମ ଶ୍ରେଣୀ ପାଇଁ ଶିକ୍ଷକ ଥିବାବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ଶିକ୍ଷାଦାନ ଯୋଗାଇବା ପାଇଁ ୧୨ ଜଣ ଶିକ୍ଷକ ଆବଶ୍ୟକତା ଥିବାବେଳେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଯାହାକୁ ନେଇ ଏଭଳି ଆନ୍ଦୋଳନ କରାଯାଇଥିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ କହିଥିଲେ ।ବେରବୋଇ ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଯେତିକି ଶ୍ରେଣୀ ଗୃହ ରହିଛି ସେଥି ମଧ୍ୟରୁ ଅଧାରୁ ଅଧିକ ଶ୍ରେଣୀ ଗୃହରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ସ୍ମାର୍ଟ କ୍ଲାସ ରୁମରେ ପଢିବା କଷ୍ଟକର ହୋଇ ପଡ଼ୁଛି । ବିଦ୍ୟାଳୟରେ ଲାଟିନ୍ ଘରେ କାର୍ଯ୍ୟ କରିଥିବା ଠିକାଦାର ଚାବି ପକାଇଥିବାବେଳେ ଛାତ୍ରଛାତ୍ରୀମାନେ ଏହାକୁ ବ୍ୟବହାର କରି ପାରୁ ନାହାନ୍ତି । ପାନୀୟ ଜଳର ଅସୁବିଧା ନ କହିବା ଭଲ । ଏଭଳି ଅନେକ ସମସ୍ୟା ରହିଥିବାର ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କହିଥିବାବେଳେ ଘଟଣାସ୍ଥଳରେ ଡ଼େଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ପହଂଚି ଶିକ୍ଷକ ନିଯୁକ୍ତିର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଦୀର୍ଘ ସମୟ ଆନ୍ଦୋଳନ ତାପରେ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ସତ ହେଲେ ବିନା ଶିକ୍ଷକରେ ପାଠ ପଢୁଥିବା ଏହି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ’ଣ ହେବ ତାହା ସମୟ ହିଁ କହିବ ।