ନୂଆଦିଲ୍ଲୀ : ମଣିପୁର ହିଂସାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧାକାରରେ ଗତି କରୁଛି। ଛାତ୍ରଛାତ୍ରୀଙ୍କ ବିସ୍ଥାପନ ନେଇ ବୁଧବାର ରାଜ୍ୟସଭାରେ ତଥ୍ୟ ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ଜାତିଗତ ହିଂସା ଯୋଗୁ ରାଜ୍ୟରେ ପ୍ରାୟ ୧୪ ହଜାର ସ୍କୁଲ୍ ଛାତ୍ରଛାତ୍ରୀ ବିସ୍ଥାପିତ ହୋଇଛନ୍ତି ବୋଲି ସେ ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି। ସେଥିମଧ୍ୟରୁ ୯୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନାମଲେଖା ନିକଟସ୍ଥ ବିଦ୍ୟାଳୟରେ କରାଯାଇଛି।
ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ମଣିପୁର ପରିସ୍ଥିତି ପାଇଁ ମୋଟ ୧୪ ହଜାର ସ୍କୁଲ୍ ପିଲା ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତ ଛାତ୍ରଛାତ୍ରୀଙ୍କ ଅଡ୍ମିସନ କରାଇବା ପାଇଁ ପ୍ରତି ରିଲିଫ୍ ଶିବିର ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରାଯାଇଛି। ତେବେ ବିସ୍ଥାପିତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୩.୫ ପ୍ରତିଶତ ପିଲାଙ୍କର ନିକଟସ୍ଥ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଆଡ୍ମିସନ କରାଯାଇଛି। ମେ ୩ ତାରିଖରେ ମଣିପୁର ହିଂସା ଘଟିବା ଦିନ ଠାରୁ ୧୬୦ ଜଣଙ୍କର ମୃତ୍ୟୁ ହୋଇଛି।
ଶତାଧିକ ଲୋକ ଆହତ ହୋଇଛନ୍ତି। ମଣିପୁରରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଲାଗି ରହିଛି। ଘଟଣାକୁ ୩ ମାସ ବିତିବାକୁ ଯାଉଥିବା ବେଳେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ହିଂସା ରୋକିବାରେ ସଫଳ ହୋଇ ନାହାନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଥିଲେ।