ଇଟାଲୀକୁ ହରାଇ ନକ୍ଆଉଟ୍ରେ ସ୍ୱିଡେନ୍
ୱେଲିଂଟନ: ଚଳିତ ଫିଫା ମହିଳା ବିଶ୍ୱକପ୍ରେ ଶନିବାର ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ସ୍ୱିଡେନ୍ ୫-୦ ଗୋଲ୍ର ବଡ଼ ବିଜୟ ହାସଲ କରିଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ଦଳ ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି । ସେହିପରି ବ୍ରାଜିଲ୍ ବିପକ୍ଷରେ ଫ୍ରାନ୍ସ ନାଟକୀୟ ବିଜୟ ହାସଲ କରିଥିବା ବେଳେ ପ୍ରତିଯୋଗିତାରେ ଜାମାଇକାକୁ ପ୍ରଥମ ବିଜୟ ଦେଇଛନ୍ତି ଆଲିସନ୍ ସ୍ୱାବି ।
ସ୍ୱିଡେନ୍ ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମ୍ଠାରେ ତା’ର ଦ୍ୱିତୀୟ ମ୍ୟାଚ୍ରେ ଇଟାଲୀକୁ ଭେଟିଥିଲା । ଗ୍ରୁପ୍-ଜି’ର ଏହି ଏକତରଫା ମ୍ୟାଚ୍ରେ ଆମାଣ୍ଡା ଇଲେଷ୍ଟେଡ୍ ଦୁଇଟି ଗୋଲ୍ ଦେଇଥିଲେ । ସେ ୩୯ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେଇ ଦଳକୁ ଆଗୁଆ କରାଇବା ସହ ୫୦ତମ ମିନିଟ୍ରେ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ସେହିପରି ୪୪ତମ ମିନିଟ୍ରେ ଫ୍ରିଡୋଲିନା ରୋଫୋ, ୪୫+୧ମ ମିନିଟ୍ରେ ଷ୍ଟିନା ବ୍ଲାକ୍ଷ୍ଟିନିଅସ୍ ଓ ୯୦+୫ମ ମିନିଟ୍ରେ ରେବେକା ବ୍ଲୋମ୍ଭିଷ୍ଟ୍ ଗୋଲ୍ ଦେବା ଫଳରେ ସ୍ୱିଡେନ୍ ପ୍ରତିଯୋଗିତାରେ ଦ୍ୱିତୀୟ ବିଜୟ ସହ ଗ୍ରୁପ୍ରେ ଶୀର୍ଷ ସ୍ଥାନରେ କାଏମ୍ ରହିଛି । ଦଳ ଗ୍ରୁପ୍ ପର୍ଯ୍ୟାୟରେ ତା’ର ଅନ୍ତିମ ମ୍ୟାଚ୍ ଆସନ୍ତା ୨ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ । ସେହିପରି ୩ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ଇଟାଲୀ ଉକ୍ତ ଦିନ ସାଉଥ୍ ଆଫ୍ରିକାକୁ ଭେଟିବ ।
ବ୍ରିସ୍ବେନ୍ର ଲାଙ୍ଗ୍ ପାର୍କଠାରେ ଫ୍ରାନ୍ସ ଓ ବ୍ରାଜିଲ୍ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍-ଏଫ୍’ର ଏକ ମ୍ୟାଚ୍ରେ ୮୩ତମ ମିନିଟ୍ ପର୍ଯ୍ୟନ୍ତ ସ୍ଥିତି ବରାବର ରହିଥିଲା । କିନ୍ତୁ ଏହି ସମୟରେ ଫ୍ରାନ୍ସ ଅଧିନାୟିକା ୱେଣ୍ଡି ରେନାର୍ଡ ଗୋଲ୍ ଦେଇ ଦଳକୁ ପୁଣିଥରେ ଆଗୁଆ କରାଇଥିଲେ । ଏହାପରେ ଆଉ କୌଣସି ଗୋଲ୍ ନ ହେବା ଫଳରେ ରେନାର୍ଡଙ୍କ ଗୋଲ୍ଟି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ପୂର୍ବରୁ ସପ୍ତଦଶ ମିନିଟ୍ରେ ଇଉଜେନି ଲେ ସୋମର୍ ଫ୍ରାନ୍ସକୁ ଆଗୁଆ କରାଇଥିଲେ । କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳରେ ମ୍ୟାଚ୍ର ୫୮ତମ ମିନିଟ୍ରେ ବ୍ରାଜିଲ୍ ପକ୍ଷରୁ ଡେବୋରା କ୍ରିଷ୍ଟିଏନ୍ ଡି’ ଓଲିଭିରା ପ୍ରଥମ ଗୋଲ୍ ଦେଇ ସ୍ଥିତିକୁ ବରାବର କରିଥିଲେ ।
ପ୍ରଥମ ମ୍ୟାଚ୍କୁ ଡ୍ର’ ରଖିଥିବା ଫ୍ରାନ୍ସ ପଏଣ୍ଟ୍ ଟେବଲ୍ରେ ୪ ପଏଣ୍ଟ୍ ସହ ଉନ୍ନତ ଗୋଲ୍ ବ୍ୟବଧାନରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ୍ ୩ ପଏଣ୍ଟ୍ ପାଇ ତୃତୀୟ ସ୍ଥାନକୁ ଖସିଯାଇଛି । ଫ୍ରାନ୍ସ ଗ୍ରୁପ୍ ପର୍ଯ୍ୟାୟରେ ତା’ର ଅନ୍ତିମ ମ୍ୟାଚ୍ ଆସନ୍ତା ୨ ତାରିଖରେ ପାନାମାକୁ ଓ ଉକ୍ତ ଦିନ ବ୍ରାଜିଲ୍ ଜାମାଇକାକୁ ଭେଟିବ । ଅନ୍ୟପକ୍ଷରେ ପର୍ଥର ନିବ୍ ଷ୍ଟାଡିୟମ୍ଠାରେ ଶନିବାର ଖେଳାଯାଇଥିବା ଗ୍ରୁପ୍-ଏଫ୍’ର ଅନ୍ୟତମ ମ୍ୟାଚ୍ରେ ଜାମାଇକା ବିପକ୍ଷରେ ପାନାମା ପରାସ୍ତ ହୋଇଛି । ଫଳସ୍ୱରୂପ ଦଳ ବିନା କୌଣସି ପଏଣ୍ଟ୍ରେ ଅନ୍ତିମ ସ୍ଥାନରେ ରହିଛି । ମ୍ୟାଚ୍ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ନ ହେବା ପରେ ଦ୍ୱିତୀୟାର୍ଦ୍ଧରେ ୫୬ତମ ମିନିଟ୍ରେ ଏକମାତ୍ର ଗୋଲ୍ଟି ଆଲିସନ୍ ସ୍କୋର୍ କରିଥିଲେ । ପ୍ରଥମ ବିଜୟ ସହ ଜାମାଇକା ୪ ପଏଣ୍ଟ୍ ପାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।