ଭୁବନେଶ୍ୱର: ମଣିପୁର ଜାତିଆଣ ହିଂସା ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବାବେଳେ ମଣିପୁର ରାଜ୍ୟପାଳ ଓ ମୁଖ୍ୟସଚିବ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଓଡ଼ିଶାରେ ପଢ଼ୁଥିବା ମଣିପୁରର ପିଲାମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ସହ ଓଡ଼ିଶାରେ ପଢ଼ିବାକୁ ଇଚ୍ଛୁକ ଥିବା ପିଲାମାନଙ୍କ ନିମନ୍ତେ ନାମଲେଖା ତାରିଖକୁ କୋହଳ ପାଇଁ ଅନୁରୋଧ କରିଛନ୍ତି । ମଣିପୁର ରାଜ୍ୟପାଳ ଓ ମୁଖ୍ୟ ସଚିବଙ୍କ ଏଭଳି ଅନୁରୋଧ ପରେ ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ମଣିପୁରର ଛାତ୍ରଛାତ୍ରୀଙ୍କ ବିଷୟରେ ଜରୁରୀକାଳୀନ ଭିତ୍ତିରେ ୭ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଜି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ମଣିପୁରର ପିଲାମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କହିଛନ୍ତି । ଓଡ଼ିଶାରେ ପଢ଼ୁଥିବା ମଣିପୁରର ପିଲାମାନଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା, ବିଶ୍ୱବିଦ୍ୟାଳୟ ଦ୍ୱାରା ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ଆଦି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ କହିଛନ୍ତି ।
ଉଚ୍ଚଶିକ୍ଷା ବିଭାଗ ଭଳି ରାଜ୍ୟ ସରକାର ଅନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକଠୁ ବି ଅନୁରୂପ ତଥ୍ୟ ମାଗିଛନ୍ତି । ମଣିପୁର ରାଜ୍ୟପାଳ ଅନୁସୂୟା ଉକେ ଗତ ଜୁନ୍ ୮ତାରିଖରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଙ୍କୁ ଚିଠି ଲେଖି ତାଙ୍କ ରାଜ୍ୟରେ ଚାଲିଥିବା ଜାତିଆଣ ହିଂସା ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଇଣ୍ଟରନେଟ ସେବା ବନ୍ଦ ଓ କର୍ଫ୍ୟୁ ଲାଗୁ ହୋଇଥିବାର ସୂଚନା ଦେଇଥିଲେ । ମଣିପୁରର ବହୁ ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ପଢ଼ୁଥିବାରୁ ସେମାନେ ଏଭଳି ପରିସ୍ଥିତି ଯୋଗୁ ନିଜର ଦୈନନ୍ଦିନ ଓ ପାଠ୍ୟକ୍ରମ ସଂକ୍ରାନ୍ତ ଖର୍ଚ୍ଚ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବେ ବୋଲି କହିଛନ୍ତି ।