ଇମ୍ଫାଲ: ମଣିପୁରରେ ମିଆଁମାର ସଂଲଗ୍ନ ମୋରେ ଜିଲ୍ଲାରେ ବୁଧବାର ଉତ୍ତ୍ୟକ୍ତ ଲୋକେ ଏକାଧିକ ପରିତ୍ୟକ୍ତ ଘର ଏବଂ ବସ୍ ପୋଡିଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଆଇନଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ମୁତୟନ ହୋଇଥିବା ନିରାପତ୍ତା ଯବାନମାନେ ଅତୀତରେ ଏହି ଗୃହରେ ରହୁଥିବାବେଳେ ବସ୍ଗୁଡିକୁ ଯାତାୟାତ ପାଇଁ ବ୍ୟବହାର କରୁଥିଲେ । ବର୍ତ୍ତମାନ ଯବାନମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବାରୁ ଘର ଓ ବସ୍ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ମଙ୍ଗଳବାର କାଙ୍ଗ୍ପୋକ୍ପି ଜିଲ୍ଲାରେ ଉତ୍ତ୍ୟକ୍ତ ଲୋକେ ଦୁଇଟି ବସ୍ ପୋଡିବାର ଦିନକପରେ ମୋରେ ଜିଲ୍ଲାରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ପୋଡାଜଳା ଘଟଣାରେ କେହି ମୃତାହତ ହୋଇନାହାନ୍ତି । ମଣିପୁର ରେଜିଷ୍ଟ୍ରେସନ ନମ୍ବର ଥିବା ଏହି ଦୁଇଟି ବସ୍ ଆସାମର ଦିମାପୁରରୁ ଆସୁଥିବାବେଳେ ଉତ୍ତ୍ୟକ୍ତ ଲୋକେ କାଙ୍ଗ୍ପୋକ୍ପି ଜିଲ୍ଲାରେ ସେଗୁଡକୁ ଅଟକାଇଥିଲେ ।
କାଳେ ଉକ୍ତ ବସ୍ରେ ବିରୋଧୀ ସଂପ୍ରଦାୟର ଲୋକେ ଥିବେ, ସେହି ସନ୍ଦେହରେ ସେମାନେ ବସ୍କୁ ଯାଞ୍ଚ କରୁଥିବାବେଳେ କେତେକ ଦୁର୍ବୃତ୍ତ ବସ୍ରେ ନିଆଁ ଲଗାଇଦେଇଥିବା କୁହାଯାଇଛି । ସୂଚନାଯୋଗ୍ୟ ମେ’ ୩ରୁ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟ ଜାତିଗତ ହିଂସାର ସୂତ୍ରପାତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୯୦ ଲୋକଙ୍କର ପ୍ରାଣହାନି ଘଟିଛି ଏବଂ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇସାରିଲେଣି । ଅପରପକ୍ଷରେ ହିଂସାକୁ ତୁରନ୍ତ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ବୁଧବାର ମଣିପୁର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କିଭଳି ସହାୟତା ପ୍ରଦାନ କରାଯାଇଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ମଧ୍ୟ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।