ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟାପେଟ୍ରେ ଏକ ସିମେଣ୍ଟ କାରଖାନାର ୪ର୍ଥ ମହଲାରୁ ଲିଫ୍ଟ ଖସିପଡ଼ିବା ଫଳରେ ସେଠାରେ କାମ କରୁଥିବା ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସୂର୍ଯ୍ୟାପେଟ୍ର ମେଲାଚେରୁଭରୁ ଗାଁରେ ଥିବା ମାଇ ହୋମ୍ ସିମେଣ୍ଟ୍ କାରଖାନାର ନୂଆ କନ୍ଷ୍ଟ୍ରକ୍ସନ୍ ୟୁନିଟ୍ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ସ୍ଥାନୀୟ ମିଡିଆ ଅନୁସାରେ ଧ୍ୱଂସାବଶେଷ ତଳେ ବର୍ତ୍ତମାନ ସୁଦ୍ଧା ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଆହତଙ୍କୁ ଉଦ୍ଧାର କରିବା ନିମନ୍ତେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଚାଲିଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଲିଫ୍ଟର ଧ୍ୱଂସାବଶେଷକୁ ଗ୍ୟାସ୍ କଟର୍ରେ କଟାଯାଉଛି ।
ଆହତ ଶ୍ରମିକଙ୍କ ସମ୍ପର୍କରେ କାରଖାନା ପ୍ରଶାସନ ମୁହଁ ଖୋଲୁନାହିଁ । ଆହତଙ୍କ ମଧ୍ୟରୁ କେତେକ ୟୁପି ଏବଂ ବିହାରର ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ ମାଇ ହୋମ୍ ସିମେଣ୍ଟ କାରଖାନାର ୟୁନିଟ୍-୪ରେ ନୂଆ କନ୍ଷ୍ଟ୍ରକ୍ସନ୍ ଚାଲିଥିଲା । ୫ମ ମହଲା ନିର୍ମାଣ ସରିଥିବା ବେଳେ ୬ଷ୍ଠ ମହଲା ପାଇଁ ଶ୍ରମିକମାନେ କଂକ୍ରିଟ୍ ମିକ୍ସର୍ ନେଇଯାଉଥିଲେ । ବୈଷୟିକ ତ୍ରୁଟି ଯୋଗୁଁ ଲିଫ୍ଟ ୪ର୍ଥ ମହଲାରେ ଅଟକିଯାଇଥିଲା । ଲିଫ୍ଟରେ ଥିବା ଶ୍ରମିକମାନେ ଏହାକୁ ଠିକ୍ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ଏହା ଖସିପଡ଼ିଥିଲା । ସୂଚନାଯୋଗ୍ୟ କାରଖାନାର ୟୁନିଟ୍-୪ ନିର୍ମାଣ ଅନୁମତିକୁ ମେଲାଚେରୁଭରୁ ପଞ୍ଚାୟତ ଖାରଜ କରିଦେଇଥିଲା ।