ଭୁବନେଶ୍ୱର: +୨ ରେ ପ୍ରାକ୍ଟିକାଲ ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ କମାଇବା ପାଇଁ ସରକାରୀ ସ୍କୁଲ ସ୍ତରରୁ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ଯୋଜନା । ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସେକେଣ୍ଡାରୀ ତଥା ମାଧ୍ୟମିକ ସ୍କୁଲଗୁଡିକରେ ବିଜ୍ଞାନ ଲାବୋରାଟୋରୀ ଏବଂ ଲାବୋରାଟୋରୀଆନ୍ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଏବଂ ଦଶମଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରାଟୋରୀ ବ୍ୟବସ୍ଥା ଯୋଗାଇବା ସହ ଏନେଇ ଲାବୋରାଟୋରୀଆନ୍ଙ୍କୁ ନିଯୁକ୍ତ କରାଯିବ । ରାଜ୍ୟରେ ମୋଟ୍ ୬୭ହଜାର ୯୬୧ଟି ସ୍କୁଲ ରହିଛି । ସେଥିରୁ କେବଳ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି ରହିଛି । ତେବେ ରାଜ୍ୟରେ ଉଭୟ ନବମ ଏବଂ ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ ରହିଛି ।
ସ୍କୁଲ ସ୍ତରରେ ବିଜ୍ଞାନକୁ ଅଧିକ ଆଦୃତ କରିବା ଲାଗି ସରକାର ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରୁଥିବା ବେଳେ ସ୍କୁଲ ଗୁଡ଼ିକରେ ଉନ୍ନତ ବିଜ୍ଞାନ ଲାବୋରାଟୋରୀର ସୁବିଧା ହୋଇପାରି ନାହିଁ । କେବଳ ବିଜ୍ଞାନ ପାଠ୍ୟପୁସ୍ତକକୁ ପଢ଼ା ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଲାବୋରାଟୋରୀରେ ପ୍ରାକ୍ଟିକାଲ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ପିଲାମାନେ ଉଭୟ ବିଜ୍ଞାନ ଏବଂ ପ୍ରାକ୍ଟିକାଲରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି । ଯେଉଁଥିପାଇଁ ଯୁକ୍ତଦୁଇ ଏବଂ ପରେ ବୈଷୟିକଶିକ୍ଷାରେ ନିଜର କ୍ୟାରିୟର ଠିକ୍ ଭାବେ ଗଢ଼ି ପାରୁନାହାନ୍ତି । ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରଥମଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଉଦ୍ୟମ କରୁଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପାଠକ୍ରମ ସାଙ୍ଗକୁ ବିଷୟଭିତ୍ତିକ ପ୍ରାକ୍ଟିକାଲ ଯେପରି ପିଲାମାନେ ପାଇପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି ।
ରାଜ୍ୟର ସବୁ ମାଧ୍ୟମିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବିଜ୍ଞାନ ପ୍ରାକ୍ଟିକାଲ ଲାଗି ବ୍ୟବସ୍ଥା କରାଯିବ । ଏନେଇ ପ୍ରତି ସ୍କୁଲ ପିଛା ୫୦ହଜାର ଟଙ୍କା ବ୍ୟୟ କରାଯିବ । ତେବେ ମୋଟ୍ ଉପରେ ବିଜ୍ଞାନ ଲାବୋରାଟୋରୀ ଲାଗି ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ । ଏହା ସହିତ ପ୍ରତି ବିଜ୍ଞାନ ଲାବୋରାଟୋରୀ ଲାଗି ଜଣେ ଲେଖାଏଁ ଲାବୋରାଟୋରୀଆନ୍ ରହିବେ । ମାତ୍ର ଏହି ପଦବୀ ଲାଗି ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି । ତେବେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ଏହି ପ୍ରାକ୍ଟିକାଲ ଲାଗି ଅତିରିକ୍ତ ଦାୟିତ୍ୱ ଦେବାକୁ ସରକାର ବିଚାର କରୁଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସରକାରୀ ସ୍କୁଲ ଗୁଡିକରେ ଭିତ୍ତିିଭୂମି ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ସୁରଭି ଭଳି ବିଜ୍ଞାନ ମେଳା ଏବଂ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଆୟୋଜନ ହେଉଥିବା ବେଳେ ସ୍କୁଲସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ଉଚ୍ଚମାନର ପ୍ରକଳ୍ପ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇପାରୁଛନ୍ତି ।