ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଟ୍ରାଏଲ୍ରେ ରେସ୍ଲର୍ ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗଟ୍ଙ୍କୁ ମିଳିଥିବା ଛାଡ଼ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଟ୍ରାଏଲ୍ରେ ଛାଡ଼ି ବିରୋଧରେ ବିଶ୍ୱ ଅଣ୍ଡର-୨୦ ଚାମ୍ପିଅନ୍ ଅନ୍ତିମ ପଙ୍ଘାଲ ଏବଂ ଅଣ୍ଡର-୨୩ ଏସିଆନ୍ ଚାମ୍ପିଅନ୍ ସୁଜିତ୍ କଲ୍କଲ୍ଙ୍କ ପକ୍ଷରୁ ଦାଖଲ ପିଟିସନ୍କୁ ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଖାରଜ କରିଦେଇଛନ୍ତି । ହାଇକୋର୍ଟ ନିଷ୍ପତ୍ତି ପରେ ଅନ୍ତିମ ପଙ୍ଘାଲ୍ ସୁପ୍ରିମ୍କୋର୍ଟ ଯିବେ ବୋଲି କହିଛନ୍ତି । ଜୁଲାଇ ୧୯ ତାରିଖରେ ପଙ୍ଘାଲ୍ ଓ କଲ୍କଲ୍ ବଜରଙ୍ଗ ଏବଂ ବିନେଶଙ୍କୁ ମିଳିଥିବା ଛାଡ଼ ବିରୋଧରେ ହାଇକୋର୍ଟରେ ପିଟିସନ୍ ଦାୟର କରି ଛାଡ଼ ଉପରେ ରୋକ୍ ଲଗାଇବା ସହିତ ଏସିଆନ୍ ଗେମ୍ସ ପାଇଁ ସ୍ୱଚ୍ଛ ଚୟନ ପ୍ରକ୍ରିୟା ଦାବି କରିଥିଲେ ।
ଗୁରୁବାର ମାମଲାର ଶୁଣାଣି କରି କୋର୍ଟ ଡବ୍ଲୁଏଫ୍ଆଇକୁ ଜବାବ ମାଗିଥିଲେ । ଏହାପରେ ଶୁକ୍ରବାର ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ଅବସରରେ କୋର୍ଟ ସ୍ପଷ୍ଟ କରିଥିଲେ ଯେ କେବଳ ପ୍ରକ୍ରିୟାର ପାଳନ କରାଯାଇଛି ନାହିଁ ତାହା ଦେଖିବେ । ଅନ୍ୟପକ୍ଷରେ ରେସ୍ଲର୍ ସାକ୍ଷୀ ମଲିକ ଟ୍ୱିଟ୍ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ସରକାର ଏସିଆନ୍ ଗେମ୍ସ ପାଇଁ ସିଧାସଳଖ ନାମ ପଠାଇ ରେସ୍ଲର୍ଙ୍କ ଏକତା ଭାଙ୍ଗିବା କାମ କରିଛନ୍ତି । ମୁଁ କେବେ ବିନା ଟ୍ରାଏଲ୍ରେ ଖେଳିବାକୁ ଯାଇନାହିଁ କିମ୍ବା ଏହାର ସମର୍ଥନ କରୁନି । ସରକାରଙ୍କ ଏହି ମନୋଭାବରେ ବିଚଳିତ । ଆମେ ଟ୍ରାଏଲ୍ସ ତାରିଖ ବଢ଼ାଇବାକୁ କହିଥିଲୁ । ମାତ୍ର ସରକାର ଆମକୁ ବଦନାମ କରିବା ଉଦ୍ୟମ ଚଳାଇଛନ୍ତି ।