କୋଲ୍କାତା: ମଣିପୁର ଘଟଣା ପରେ ଏବେ ପଶ୍ଚିମବଙ୍ଗର ମାଲ୍ଦାରେ ୨ଜଣ ଅର୍ଦ୍ଧ-ନଗ୍ନ ମହିଳାଙ୍କୁ ଉତ୍କ୍ଷିପ୍ତା ମହିଳାମାନେ ରାସ୍ତାରେ ପିଟି ପିଟି ନେଉଥିବାର ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ସଂଗୃହୀତ ପ୍ରାଥମିକ ସୂଚନା ଅନୁସାରେ, ଘଟଣାଟି ୩/୪ ଦିନ ତଳର। ମାଲ୍ଦା ଅନ୍ତର୍ଗତ ପକୁଆହାଟରେ ଚୋରି କରିଥିବା ସନ୍ଦେହରେ ଉକ୍ତ ଦୁଇ ମହିଳାଙ୍କୁ ଧରି ସ୍ଥାନୀୟ ବଜାରର ମହିଳା ଦୋକାନୀମାନେ ଧରି ମାରଧର କରିଥିଲେ।
ପ୍ରସାରିତ ଭିଡିଓରେ ଦେଖାଯାଉଛି ମହିଳା ଦୋକାନୀମାନେ ସେ ଦୁଇ ଅଭିଯୁକ୍ତ ମହିଳାଙ୍କ ପିନ୍ଧା ଶାଢ଼ି ଚିରି ପକାଇବା ସହିତ ଚପଲରେ ପିଟାପିଟି କରୁଛନ୍ତି। କିନ୍ତୁ, ଘଟଣା ସମ୍ବନ୍ଧରେ ପଶ୍ଚିମବଙ୍ଗ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ପୁଲିସ କହିଛି ଯେ, ଭିଡିଓ ଦେଖିବା ପରେ ହିଁ ସେମାନେ ଏହି ଘଟଣା ବିଷୟରେ ଅବଗତ ହେଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଲା ଯେ, ଚୋରି କରୁଥିବା ବେଳେ ଦୁଇ ମହିଳା ଧରାପଡ଼ିଯାଇଥିଲେ। ଫଳରେ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ମହିଳା ଦୋକାନୀମାନେ ତାଙ୍କୁ ମାର୍ଧର କରିଥିଲେ। ତା’ପରେ ଦୁଇ ମହିଳାଙ୍କୁ ଧରିଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଦୁଇ ମହିଳାଙ୍କୁ ବାଡ଼ାପିଟା କରିଥିବା ମହିଳାମାନେ ବି ଭୟରେ ଥାନାରେ ଅଭିଯୋଗ କରିବାକୁ କୁଣ୍ଠାବୋଧ କରିଥିଲେ। ସମ୍ପ୍ରତି ପଶ୍ଚିମବଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।