18.1 C
Bhubaneswar
Sunday, December 22, 2024
Homeଦେଶ ବିଦେଶମଣିପୁର: ମହିଳାଙ୍କ ବିରୋଧ, ଅଟକିଲା ସେନା ଅପରେସନ୍ ; ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଇଣ୍ଟରନେଟ୍...

ମଣିପୁର: ମହିଳାଙ୍କ ବିରୋଧ, ଅଟକିଲା ସେନା ଅପରେସନ୍ ; ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଇଣ୍ଟରନେଟ୍ ବ୍ୟାନ୍‌

ଇମ୍ଫାଲ୍ : ଜାତିଗତ ହିଂସାଗ୍ରସ୍ତ ମଣିପୁରର ଇଷ୍ଟ୍ ଇମ୍ଫାଲ୍ ଜିଲ୍ଲାରେ ଶନିବାର ଲୋକମାନେ ସେନା ହାତରୁ ପ୍ରତିବନ୍ଧିତ ସଂଗଠନ କାଙ୍ଗଲେଇ ୟାବୋଲା କନ୍ନା ଲୁପ୍ (କେୱାଇକେଏଲ୍‌)ର ୧୨ ଜଣ କ୍ୟାଡର୍‌ଙ୍କୁ ଛଡ଼ାଇ ନେଇଛନ୍ତି । ଶତାଧିକ ମହିଳାଙ୍କ ବିରୋଧ ଯୋଗୁଁ ସେନାକୁ ସେମାନଙ୍କୁ ଛାଡ଼ିବାକୁ ପଡ଼ିଥିଲା । ସେନା ସୂତ୍ର ଅନୁସାରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପୂର୍ବ ଇମ୍ଫାଲ୍‌ର ଇଥମ ଗ୍ରାମରେ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ଲୋକଙ୍କ ଅସୁବିଧା ନହେବା ପାଇଁ ପୂରା ଅଞ୍ଚଳକୁ ଘେରାଉ କରାଯାଇଥିଲା । ସୁରକ୍ଷାବଳ ସେଠାରୁ ବିପଳ ପରିମାଣର ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଜବତ କରିବା ସହିତ ମୈତେଇ ସମ୍ପ୍ରଦାୟର ପ୍ରତିବନ୍ଧିତ ଗ୍ରୁପ୍ କେୱାଇକେଏଲ୍‌ର ସ୍ୱୟଂମ୍ଭୁ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ମୋଇରାଙ୍ଗଥେମ ତମ୍ବା ଓରଫ ଉତ୍ତମ ସମେତ ୧୨ ଜଣ କ୍ୟାଡର୍‌ଙ୍କୁ ଧରିଥିଲା । ମାତ୍ର ବହୁସଂଖ୍ୟକ ମହିଳା ଏବଂ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ ୧୨୦୦ରୁ ୧୫୦୦ ଲୋକ ସେନା ଯବାନଙ୍କୁ ଘେରିଯାଇ କେୱାଇକେଏଲ୍ କ୍ୟାଡର୍‌ଙ୍କୁ ଛାଡ଼ିବାକୁ ଦାବି କରିଥିଲେ ।

ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାବଳ ଅପରେସନ୍ ରୋକିଦେବା ସହିତ ୧୨ କେୱାଇକେଏଲ୍ ସଦସ୍ୟଙ୍କୁ ଛାଡ଼ିଦେଇଥିଲା ଏବଂ ଜବତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନେଇ ଯବାନମାନେ ସେଠାରୁ ଚାଲିଯାଇଥିଲେ । ଏହି ଘଟଣା ପରେ ଆର୍ମି ଅପରେସନ୍‌ରେ ସହଯୋଗ କରିବା ନିମନ୍ତେ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍ ସିଂହ ରବିବାର ନୂଆଦିଲ୍ଲାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ୍ କରି ରାଜ୍ୟର ସ୍ଥିତି ଉପରେ ରିପୋର୍ଟ ପ୍ରଦାନ କରିଛନ୍ତି । ବୀରେନ୍ ସିଂହ ଟ୍ୱିଟ୍ କରି କହିଛନ୍ତି, ରାଜ୍ୟରେ ଗତ ସପ୍ତାହରେ ହିଂସା ବହୁ ପରିମାଣରେ ହ୍ରାସ ପାଇଛି । ୧୩ ତାରିଖ ପରଠାରୁ ହିଂସାରେ କାହାରି ମୃତ୍ୟୁ ହୋଇନାହିଁ । ଅନ୍ୟପକ୍ଷରେ ହିଂସାକାଣ୍ଡର ସ୍ଥିତିକୁ ଦେଖି ରାଜ୍ୟରେ ଇଣ୍ଟର୍‌ନେଟ୍ ବ୍ୟାନ୍ ଅବଧିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking