20.1 C
Bhubaneswar
Thursday, January 16, 2025
Homeଓଡିଶାକାଳବୈଶାଖୀ ତାଣ୍ଡବ; ବଜ୍ରାଘାତରେ ୩ ମୃତ

କାଳବୈଶାଖୀ ତାଣ୍ଡବ; ବଜ୍ରାଘାତରେ ୩ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ଅଚାନକ ତାଣ୍ଡବ ରଚିଥିଲା କାଳବୈଶାଖୀ । ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବାରୁ ଗଛ ଡାଳ ଭାଙ୍ଗିପଡ଼ି ବିଦ୍ୟୁତ୍ ତାର ଛିଡି ଯାଇଛି । ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ପବନରେ ଅନେକ ଟିଣ ଓ ଚାଳ ଛପର ଘର ଉଡ଼ିଯାଇଛି । ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସାରା ସହର ଅନ୍ଧାର ହୋଇରହିଛି । ଗଛ ଡାଳ ପଡ଼ି ରାସ୍ତା ଅବରୋଧ ହେବା ସହ ବର୍ଷାଜଳ ରାସ୍ତାରେ ଜମିରହିଥିଲା । ବିଦ୍ୟୁତ ସଂଯୋଗ ପାଇଁ କର୍ମଚାରୀ ନିୟୋଜିତ ହୋଇଥିଲେ ହେଁ ବିଦ୍ୟୁତ ଯୋଗାଣ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇପାରିନଥିଲା । ଢେଙ୍କାନାଳରେ ଦିନବେଳେ ଅସମ୍ଭବ ପ୍ରକାରର ତାତି ରହିଥିଲା ।

ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା । ପ୍ରବଳ ଗରମ ହେଉଥିବା ବେଳେ ଅପରାହ୍ନ ପ୍ରାୟ ୫ ଟା ସମୟରେ ହଠାତ୍ କାଳବୈଶାଖୀ ଦେଖାଦେଇଥିଲା । ଆକାଶ ମେଘାଛନ୍ନ ରହି ଘଡ଼ଘଡ଼ି ବିଜୁଳି ମାରିଥିଲା । ବଜ୍ରାଘାତରେ ଗଁଦିଆ ଅଞ୍ଚଳର ଦେଓଗାଁ ଡଗରାପଲି ସ୍କୁଲ ବାରଣ୍ଡାରେ ୫ ଜଣ ବ୍ୟକ୍ତି ଛିଡା ହୋଇଥିବା ବେଳେ ବଜ୍ରାଘାତରେ ଡଗରପଲି ଗ୍ରାମର ଜଗଦା ଦେହୁରୀ (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସେହିପରି ସଦର ବ୍ଲକର ନଢଣପୁର ଗ୍ରାମରେ ମଇଁଷି ଚରାଉଥିବା ବେଳେ ବଜ୍ରାଘାତରେ ପ୍ରକାଶ ବେହେରା (୪୮) ଓ ଶଙ୍କର୍ଷଣ ବେହେରା (୭୦) ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖୁବ୍ ଜୋର୍‌ରେ ପବନ ବହିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରାୟ ଏକ ଘଣ୍ଟାଧରି ଖୁବ୍ ଜୋରରେ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ବର୍ଷାଜଳ ରାସ୍ତାରେ ଜମି ରହିଥିଲା । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ବାଧା ଉପୁଜିଥିଲା । ଯଦିଓ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତି ଅନୁଭୂତ ହୋଇଥିଲେ ହେଁ ଗୁଳୁଗୁଳି ଲାଗି ରହିଛି । ଅନେକ ପୁରୁଖା ଲୋକଙ୍କ ମତରେ ଏଭଳି ଗରମ ପୂର୍ବରୁ କେବେ ଦେଖାଦେଇନଥିଲା । ଶନିବାର ହୋଇଥିବା କାଳବୈଶାଖୀ ଓ ବର୍ଷା ସତ୍ତ୍ୱେ ଗୁଳୁଗୁଳି ହେବା ଓ ବିଦ୍ୟୁତ୍ ବିଚ୍ଛିନ୍ନ ହେବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking