ମୟୁରଭଞ୍ଜ: ଓଡ଼ିଶା ପାଇଁ ଅଶୁଭ ପାଲଟିଛି ଟାଟା ପାୱାର। ସବୁସ୍ଥିତି ସମାନ ରହିଥିବା ବେଳେ ବିଭାଗ ବକେୟା ଆଦାୟକୁ ପ୍ରାଥମିକତା ଦେଉଛି। ଆଉ ମରାମତି ଆଳରେ ପ୍ରାୟତଃ ବିଦ୍ୟୁତ କାଟ ହେଉଛି। ମାତ୍ର ନିରବଚ୍ଛିନ୍ନ ସେବା ଯୋଗାଇଦେବା ପ୍ରତି ଥିବା ଦାୟିତ୍ବବଦ୍ଧତାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି।
ଅନ୍ୟପଟେ ପୂର୍ବାପେକ୍ଷା କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ଅଘୋଷିତ ବିଦ୍ୟୁତକାଟରେ ଲୋକେ ଅତିଷ୍ଠ ହେଉଥିବା ବେଳେ ବିଭାଗୀୟମନ୍ତ୍ରୀ ବିଦ୍ୟୁତକାଟକୁ ଅସ୍ବୀକାର କରି ବିଦ୍ୟୁତ କାଟ ହେଉନଥିବା ସ୍ପଷ୍ଟ ଭାବରେ ବୟାନ କରି ଆସୁଛନ୍ତି। ବାସ୍ତବତାକୁ ଅନୁଧ୍ୟାନ କରିବା ବଦଳରେ ଆତ୍ମରକ୍ଷାର ବୟାନ ଲୋକଙ୍କୁ ଅଧିକ ଅସନ୍ତୁଷ୍ଟ ସହ ଉତକ୍ଷିପ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ତେବେ ବିଭାଗୀୟ ଅବହେଳା ବିରୁଦ୍ଧରେ ଗର୍ଜିଲେ ଜନ ସାଧାରଣ,ବିଦ୍ୟୁତ୍ କାର୍ଯ୍ୟାଳୟରେ ପକେଇଲେ ତାଲା,ଯନ୍ତ୍ରୀଙ୍କୁ ଠେଲାପେଲା
ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ସେକ୍ସନ କଲାବାଡ଼ିଆ ଗ୍ରିଡରେ।
କୁଳିଅଣା ଅଂଚଳର ସରପଙ୍ଗଖା ନୂଆଗାଁ ଗ୍ରାମର ଟ୍ରାସଫାର୍ମର ବିଗତ କିଛିଦିନ ହେଲା ଖରାପ ହେଇ ପଡ଼ି ରହିଥିଲା ବେଳେ ବାରମ୍ବାର ଏ ବିଷୟରେ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଧିକାରୀ କିଛି ଶୁଣି ନ ଥିଲେ।ତେବେ ଆଜି ଉତ୍ୟକ୍ତ ଗ୍ରାମବାସୀ କଲାବାଡିଆ ସ୍ଥିତ ଗ୍ରିଡକୁ ପହଞ୍ଚି ଗ୍ରିଡ଼ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ ପହଞ୍ଚି ବା ପରେ ଲୋକଙ୍କ ସମସ୍ୟାକୁନେଇ ତାଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା।
ଏଥିରେ ଉତ୍ୟକ୍ତ ଗ୍ରାମବାସୀ ଯନ୍ତ୍ରୀଙ୍କୁ ଠେଲାପେଲା କରିଥିବାର ଦେଖିବାକୁ ମିଳିଛି। ପ୍ରବଳ ଗରମ ସହିତ ଗୁଳୁଗୁଳିରେ ଗ୍ରାମବାସୀ ଅତିଷ୍ଠ ହେଇ ପଡିଥିବାବେଳେ ଏନେଇ ଗତକାଲି ଜାତୀୟ ରାଜପଥ 18କୁ ମଧ୍ୟ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଆଜିର ଆଧୁନିକ ସମାଜରେ ବିଦ୍ୟୁତ ସେବା ମଣିଷ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ। ତେଣୁ ଏହି ସେବାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି।