26.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଆରବ ସାଗରରେ ନୌସେନାର ମେଗା ସମରାଭ୍ୟାସ; ଭାଗନେଲେ ୩୫ ଲଢୁଆ ଜେଟ୍‌, ହେଲିକପ୍ଟର ଓ ସବ୍‌ମେରିନ୍‌

ଆରବ ସାଗରରେ ନୌସେନାର ମେଗା ସମରାଭ୍ୟାସ; ଭାଗନେଲେ ୩୫ ଲଢୁଆ ଜେଟ୍‌, ହେଲିକପ୍ଟର ଓ ସବ୍‌ମେରିନ୍‌

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ୍‌ର ଦବ୍‌ଦବା ବୃଦ୍ଧିର ମୁକାବିଲା ପାଇଁ ଭାରତୀୟ ନୌସେନା ଶନିବାରଠାରୁ ଆରବ ସାଗରରେ ସବୁଠୁ ବଡ ସମରାଭ୍ୟାସ ଆରମ୍ଭ କରିଛି । ନୌସେନା ପ୍ରଥମ ଥର ପାଇଁ ନିଜର ଦୁଇଟି ବିମାନବାହୀ ଯୁଦ୍ଧଜାହାଜ (ଏୟାରକ୍ରାଫ୍ଟ କ୍ୟାରିୟର) ଆଇଏନ୍‌ଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନ୍‌ଏସ୍ ବିକ୍ରାନ୍ତକୁ ଏକାସାଙ୍ଗରେ ସମରାଭ୍ୟାସରେ ସାମିଲ କରିଛି ।

ଏହାବ୍ୟତୀତ ସମରାଭ୍ୟାସରେ ୩୫ଟି ଲଢୁଆ ବିମାନ, ହେଲିକପ୍ଟର ଓ ସବ୍‌ମେରିନ୍ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ତେବେ ଏହି ସମରାଭ୍ୟାସର ମୁଖ୍ୟ ଆକର୍ଷଣ ପାଲଟିଥିଲେ ଦୁଇଟି ବିମାନବାହୀ ଯୁଦ୍ଧଜାହାଜ । ଏହି ଏୟାର୍‌କ୍ରାଫ୍ଟ କ୍ୟାରିୟରରୁ ମିଗ୍‌-୨୯କେ ସହିତ ବିଭିନ୍ନ ଲଢୁଆ ହେଲିକପ୍ଟର ଯଥା କାମ୍‌ରୋଭ୍‌, ସି-କିଙ୍ଗ୍‌, ଚେତକ୍‌, ଏମ୍‌ଏଚ୍‌୬୦ ଆର୍ ମଧ୍ୟ ଉଡ଼ାଣ କରିଛନ୍ତି । ଏହା ସହିତ ପାଣି ଭିତରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଭାରତୀୟ ନୌସେନା ସବ୍‌ମେରିନ୍‌ର ମଧ୍ୟ ପରୀକ୍ଷଣ କରିଛି ।

ଏହା ଗତ କିଛିବର୍ଷ ମଧ୍ୟରେ ଭାରତୀୟ ନୌସେନାର ସବୁଠୁ ବଡ଼ ସମରାଭ୍ୟାସ । ଯୁଦ୍ଧ ସମୟରେ ଦୁଇଟି ବିମାନବାହୀ ଯୁଦ୍ଧଜାହାଜ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଇପାରିବ, ତାହା ଏହି ସମରାଭ୍ୟାସ ଜରିଆରେ ଅନୁଧ୍ୟାନ କରାଯାଉଛି ବୋଲି ସୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧୱାଲ କହିଛନ୍ତି । ସାଧାରଣତଃ ମେଗା ସମରାଭ୍ୟାସରେ ଗୋଟିଏ କିମ୍ବା ଦୁଇଟି ବିମାନବାହୀ ଯୁଦ୍ଧଜାହାଜ ସମେତ ଏକାଧିକ ଡେଷ୍ଟ୍ରୟର, ଫ୍ରିଗେଟ୍ ଏବଂ ଅନ୍ୟ ଯୁଦ୍ଧଜାହାଜକୁ ସାମିଲ କରାଯାଇଥାଏ ।

ଜଳସୀମାରେ ନିଜର ଅଖଣ୍ଡତାକୁ ବଜାୟ ରଖିବାବେଳେ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏହାବ୍ୟତୀତ ରାତିରେ ଏୟାର୍‌କ୍ରାଫ୍ଟ କ୍ୟାରିୟର୍‌ରୁ ଯୁଦ୍ଧବିମାନ ଓ ହେଲିକପ୍ଟର ଉଡାଣ ଓ ଅବତରଣ କରିବା ସଫଳ ହୋଇପାରିଛି ବୋଲି ମଧୱାଲ କହିଛନ୍ତି । ବିବେକ ମଧୱାଲ୍ ଆହୁରି କହିଛନ୍ତି ଯେ ଭାରତର ଜାତୀୟ ସ୍ୱାର୍ଥରକ୍ଷା, କ୍ଷେତ୍ରୀୟ ସୁରକ୍ଷା ବଜାୟ ଏବଂ ସମୁଦ୍ର ସୀମାର ସୁରକ୍ଷାକୁ ଧ୍ୟାନରେ ରଖି ଏହି ସମରାଭ୍ୟାସ କରାଯାଇଛି ।

ଯୁଦ୍ଧ କିମ୍ବା ଶାନ୍ତି ସମୟରେ ଆଇଏନ୍‌ଏସ୍ ବିକ୍ରମାଦିତ୍ୟ ଓ ବିକ୍ରାନ୍ତ ଯେକୌଣସି ସ୍ଥାନରୁ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିବେ ବୋଲି ଏହି ସମରାଭ୍ୟାସରୁ ସ୍ପଷ୍ଟ ସୂଚନା ମିଳିଥିବା କୁହାଯାଇଛି । ଜଳସୀମାର ସୁରକ୍ଷା ପାଇଁ ବିମାନବାହୀ ଯୁଦ୍ଧଜାହାଜର ବିଶେଷ ଗୁରୁତ୍ୱ ରହୁଥିବାରୁ ଏହାର କାର୍ଯ୍ୟଦକ୍ଷତା ଶହେ ପ୍ରତିଶତ ନିର୍ଭୁଲ ହେବା ଜରୁରୀ ବୋଲି ମଧୱାଲ କହିଛନ୍ତି ।

ସୂଚନାଯୋଗ୍ୟ ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀକୌଶଳରେ ନିର୍ମିତ ଆଇଏନ୍‌ଏସ୍ ବିକ୍ରାନ୍ତକୁ ୨୦୨୨ ସେପ୍ଟେମ୍ବରରେ ନୌସେନାରେ ସାମିଲ କରାଯାଇଥିଲା । ୪୦ ହଜାର ଟନ୍ ଓଜନ ବିଶିଷ୍ଟ ଏହି ଯୁଦ୍ଧଜାହାଜରେ ୩୦ଟି ଲଢୁଆ ଜେଟ୍ ଓ ହେଲିକପ୍ଟର ମୁତୟନ କରାଯିବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking