14.1 C
Bhubaneswar
Friday, January 10, 2025
Homeଓଡିଶାଶ୍ରୀଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ ଥିବା ପ୍ରସିଦ୍ଧ ଶ୍ରୀଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥିତ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏସ୍‌କେ ସାହୁ ଓ ବିଚାରପତି ଏମ୍‌ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ମଧୁସୂଦନ ପୂଜାପଣ୍ଡାଙ୍କ ପିଟିସନ୍‌ର ଶୁଣାଣିକରି ବରିଷ୍ଠ ନାଗରିକ,ଶାରୀରିକ ଅକ୍ଷମ ଏବଂ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ପାର୍କିଂ ପ୍ଲେସ ଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାଟେରୀ ଗାଡିର ସୁବିଧା କରିବାକୁ ଖଣ୍ଡପୀଠ କହିଛନ୍ତି ।

ମନ୍ଦିର ମଧ୍ୟରେ ଭିଡ କମାଇବା ପାଇଁ ପ୍ରସାଦ ବିକ୍ରୟ ଏବଂ ସେବନକୁ ନିୟନ୍ତ୍ରିତ କରିବା ଉପରେ ଅଦାଲତ ଗୁରୁତ୍ୱ ଦେବାକୁ କହିଛନ୍ତି । ବିଭିନ୍ନ ରୀତିନୀତି, ଦର୍ଶନ ସମୟ ଏବଂ ମନ୍ଦିର ବନ୍ଦ ହେବା ସମୟ ବାବଦରେ ବିଭିନ୍ନ ଗଣମାଧ୍ୟମରେ ପ୍ରତ୍ୟେକ ଦିନ ସୂଚନା ପ୍ରଦାନ କରିବା ଏବଂ ଭକ୍ତମାନଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ସୌଚାଳୟ ବ୍ୟବସ୍ଥା କରିବାକୁ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅର୍ଗଳୀ ନିକଟରୁ ଭକ୍ତମାନଙ୍କୁ ଅଲାରନାଥ ଦର୍ଶନ କରାଇବା ପାଇଁ ଅଦାଲତ କହିଛନ୍ତିି । କୌଣସି ସେବାୟତ ଯେପରି ଭକ୍ତମାନଙ୍କୁ ଅର୍ଗଳୀ ଆଗକୁ ନେଇ ଦର୍ଶନ ନକରାନ୍ତି ତାହା ସୁନିଶ୍ଚିତ କରିବାକୁ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଉପରେ ନଜର ରଖିବା ପାଇଁ ପର୍ଯ୍ୟାପ୍ତ ସିସିଟିଭି ବ୍ୟବସ୍ଥା କରିବା ସହ ପ୍ରବେଶ ପଥରେ ଥିବା ପଙ୍ଖା ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇଜୀବୀ ଲକ୍ଷ୍ମୀଧର ଦାଶ ମାମଲା ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଗତ ୫ ତାରିଖରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଣସର ନୀତି ଆରମ୍ଭ ହୋଇଛି । ମହାବାହୁ ଦୁଇ ସପ୍ତାହ ଅଣସରରେ ରହିବେ । ଏହି ସମୟରେ ଶ୍ରୀ ମନ୍ଦିରରେ ପଟ୍ଟିଦିଅଁଙ୍କୁ ଦର୍ଶନ କରାଯାଏ । ଏହାବ୍ୟତୀତ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଅଲାରନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ବ୍ରହ୍ମଗିରି ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking