ନୂଆଦିଲ୍ଲୀ: ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଆସନ୍ତା ୪ରେ ଦି ନେଦରଲାଣ୍ଡ୍ସର ହେଙ୍ଗେଲୋଠାରେ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଗୋଲ୍ଡ ଲେବଲ୍ ଇଭେଣ୍ଟ୍ ଫ୍ୟାନି ବ୍ଲାଙ୍କର୍ସ-କୋଏନ୍ (ଏଫ୍ବିକେ) ଗେମ୍ସରୁ ଓହରିଯାଇଛନ୍ତି । ମାଂସପେଶୀରେ ସମସ୍ୟା ଉପୁଜିବାରୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ନୀରଜ ଏପରି ନିଷ୍ପତ୍ତି ନେଇଛନ୍ତି । ସେ ଆସନ୍ତା ୧୩ରେ ଫିନଲାଣ୍ଡ୍ର ଟୁର୍କୁଠାରେ ଅନୁଷ୍ଠିତ ହେବାକୁ ଥିବା ପାଭୋ ନୁର୍ମି ଗେମ୍ସ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ନୀରଜ ନିଜର ଆଘାତଜନିତ ସମସ୍ୟା ନେଇ ଟ୍ୱିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଟ୍ରେନିଂ ସମୟରେ ବିଶ୍ୱର ଏହି ଏକ ନମ୍ବର ଜାଭେଲିନ୍ ଥ୍ରୋୟର୍ଙ୍କ ମାଂସପେଶୀ ଟାଣି ହୋଇଯିବାରୁ ମେଡିକାଲ୍ ଟିମ୍ ତାଙ୍କୁ କୌଣସି ପ୍ରକାର ରିସ୍କ ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ଆଘାତଜନିତ ସମସ୍ୟା ଅଧିକ ଗୁରୁତର ହେବାର ଆଶଙ୍କା ଥିବାରୁ ନୀରଜ ଏଫ୍ବିକେ ଗେମ୍ସରୁ ଓହରିଯାଇଥିଲେ ହେଁ ଫିନଲାଣ୍ଡ୍ ଇଭେଣ୍ଟ୍ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତ ସିଜନ୍ର ପ୍ରାରମ୍ଭରେ ନୀରଜ ୮୮.୬୭ ମିଟର ଦୂରତା ହାସଲ କରି ତାଙ୍କ ଚମତ୍କାର ଫର୍ମର ପ୍ରମାଣ ଦେଇଛନ୍ତି । ଗତ ୫ ତାରିଖରେ ଦୋହା ଡାଇମଣ୍ଡ୍ ଲିଗ୍ରେ ସେ ଏହି ଦୂରତା ହାସଲ କରିଥିଲେ ।