ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ୍ ୨୨ରେ ଆମେରିକା ଗସ୍ତରେ ଯିବେ ବୋଲି ଜଣାପଡିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପତ୍ନୀ ଜିଲ୍ଙ୍କ ଆମନ୍ତ୍ରଣକ୍ରମେ ମୋଦୀ ଆମେରିକା ଯାଉଥିବା ପିଏମଓ ପକ୍ଷରୁ କୁହାଯାଇଛି । ମୋଦୀଙ୍କ ସମ୍ମାନାର୍ଥେ ବାଇଡେନ୍ ଦମ୍ପତି ହ୍ୱାଇଟ୍ ହାଉସରେ ଏକ ରାତ୍ରୀଭୋଜନର ବନ୍ଦୋବସ୍ତ ମଧ୍ୟ କରିଛନ୍ତି । ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବାରେ ମୋଦୀଙ୍କ ଗସ୍ତ ସହାୟକ ହେବ ବୋଲି କୂଟନୈତିକ ମହଲ ଆଶାବ୍ୟକ୍ତ କରୁଛନ୍ତି ।
ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ଚୀନ୍ର ପ୍ରାଦୁର୍ଭାବ ରୋକିବାକୁ ଭାରତ ଓ ଆମେରିକାର ଜୋରସୋର ଉଦ୍ୟମ ଚଳାଇଛନ୍ତି । ତେଣୁ ଆନ୍ତର୍ଜାତିକ ସର୍କିଟ୍ରେ ଚୀନ୍ର ବିସ୍ତାରବାଦୀ ନୀତିର ସଫଳ ମୁକାବିଲା କରିବାରେ ଭାରତ ହିଁ ପ୍ରକୃତ ବନ୍ଧୁର ଭୂମିକା ତୁଲାଇବ ବୋଲି ଆମେରିକା ବିବେଚନା କରୁଛି । ସୂଚନାଯୋଗ୍ୟ ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳକୁ ସାମରିକ ପ୍ରଭାବରୁ ମୁକ୍ତ ରଖିବାକୁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ କ୍ୱାଡ୍ ସଂଗଠନ ଗଠନ କରିସାରିଛନ୍ତି ।