ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ । ଶେଷ ପ୍ରଚାର ପାଇଁ ନିର୍ବାଚନୀ ରଣାଙ୍ଗନରେ କଂଗ୍ରେସ, ବିଜେପି ଓ ଜେଡିଏସ । ବିରାଟ ଜନସଭା ସହ ଦଳର ଆଗ ଧାଡ଼ିର ନେତା ମାନେ କରିବେ କ୍ୟାମ୍ପେନିଂ ।ରାଜ୍ୟରେ ବଢୁଥିବା ଦୁର୍ନୀତି, ବେରୋଜଗାର ଏବଂ ୪୦ ପ୍ରତିଶତ ପିସି କାରବାରକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ବିଜେପି ଭିନ୍ନ ମୁଦ୍ଦାଇ ଉଠାଇ ଟାର୍ଗେଟ କରୁଛି । ବିଭିନ୍ନ ସର୍ଭେରେ ମଧ୍ୟ ଏଥର କଂଗ୍ରେସକୁ ବହୁମତ ମିଳିବ ବୋଲି ଚର୍ଚ୍ଚା ହେଉଛି । ୨୨୪ରୁ ୧୫୦ ଆସନ କଂଗ୍ରେସକୁ ଦେବା ପାଇଁ ଜନତାଙ୍କୁ ଅପିଲ କରୁଛନ୍ତି କଂଗ୍ରେସ ନେତା । ଗତକାଲି ମଧ୍ୟ ଜୋରଦାର ପ୍ରଚାର କରିଥିଲା ଦଳ ।
କେନ୍ଦ୍ର ଓ କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଥିଲେ । ଗ୍ୟାସ ଦର, ପଟ୍ରୋଲ ଦର, ଜିଏସଟି, ଦୁର୍ନୀତି ଆଦି ପ୍ରସଙ୍ଗରେ ସେ ଟାର୍ଗେଟ କରିଥିଲେ । ରାଜ୍ୟରେ ସମବାୟ ବ୍ୟାଙ୍କ ସ୍କାମ, ପୋଲିସ ଏସଆଇ ସ୍କାମ, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସ୍କାମ ଆଦି ପ୍ରସଙ୍ଗରେ ସେ ବର୍ଷିଥିଲେ । ସେହିପରି ନିର୍ବାଚନ ପ୍ରଚାର ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ରାଜ୍ୟରେ ବଢିଛି ବେରୋଜଗାରୀ । ୪୦ ପ୍ରତିଶତ କମିଶନରେ ଚାଲିଛି ସରକାର । ସରକାରୀ ପଦବୀ ବିକ୍ରି ହେଉଛି । ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରିୟଙ୍କା ।