ଭୁବନେଶ୍ୱର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାର ମାଟି ଚୈକି ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ,ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରଟି ଫେରାର ଥିବା ଜଣାପଡିଛି । ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ପୋଲିସ୍ କହିଛି । ତେବେ, କାରରେ ୧୦ ଜଣ ଯୁବକ ଥିବା ଜଣାପଡିଛି ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବାରବାଙ୍କୀରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ହାର୍ଦ୍ଦୋଇ ଜିଲ୍ଲାରୁ ୧୦ ଜଣ ଯୁବକ ଏକ କାର ଯୋଗେ ଆସିଥିଲେ। ବିବାହ ଉତ୍ସବରେ ଯୋଗ ଦେବା ସହ ଭୋଜି ଖାଇ ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିଲେ । ମାଟି ଚୈକି ଥାନା ଅଞ୍ଚଳରେ ସେମାନଙ୍କ କାର ପହଞ୍ଚି ଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କ ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି କିଛି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ୍ ଘଟଣାସ୍ଥରେ ପହଞ୍ଚି ବାକି ଆହତଙ୍କୁ ଗାଡିରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରୁ ଚିକିତ୍ସା ପାଇଁ ପଠାଇଛି। ଏବଂ ୫ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି । ସେପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଜାରି ରଖିଛି ।