ଥାଣେ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱଣ୍ଡିରେ ଶନିବାର ଏକ ତିନି ମହଲା ବିଶିଷ୍ଟ ଗୋଦାମ ଭୁଶୁଡ଼ି ପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ପରିସର ମଧ୍ୟରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭଗ୍ନାବଶେଷ ତଳେ ବହୁ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । କୈଳାସନଗର ବାଲାପାଡ଼ାର ବର୍ଦ୍ଧମାନ କମ୍ପାଉଣ୍ଡ୍ରେ ଥିବା ଗ୍ରାଉଣ୍ଡ୍ ପ୍ଲସ୍ ଦୁଇମହଲା ବିଶିଷ୍ଟ ବିଲ୍ଡିଂଟି ଶନିବାର ଅପରାହ୍ଣ ୧.୪୫ରେ ଭୁଶୁଡ଼ି ପଡ଼ିଥିଲା । ଚାରିଟି ପରିବାର ଉପର ମହଲାରେ ଥିବାବେଳେ ଅଣ୍ଡର ଗ୍ରାଉଣ୍ଡ୍ରେ ଶ୍ରମିକମାନେ କାମ କରୁଥିଲେ । ଭିୱଣ୍ଡି, ଥାଣେ ସମେତ ଆଖପାର ଦମକଳ ବାହିନୀ, ଏନ୍ଡିଆର୍ଏଫ୍, ଥାଣେ ଏସ୍ଡିଆର୍ଏଫ୍ ଟିମ୍ ପହଞ୍ଚି ୧୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ କେତେକ ଦବି ରହିଥିବା ଆଶଙ୍କା କରାଯାଉଛି । ଏହି ବିଲ୍ଡିଂର ଷ୍ଟ୍ରକ୍ଚର୍ ରେସିଡେନ୍ସିଆଲ୍ ଥିଲା କିମ୍ବା କମର୍ସିଆଲ୍ ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ମୁତୟନ କରାଯାଇଛି ।