ଢେଙ୍କାନାଳ : ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ । ବାହା ହୋଇ ଝିଅ ବାପ ଘରକୁ ମଧ୍ୟ ଆସି ନଥିଲା । କିନ୍ତୁ ଦୁର୍ଭାଗ୍ୟ, ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ । ବାପଘର ଛାଡ଼ି ପରକୁ ଆପଣାର କରି ଦେଖିଥିଲେ ଅନେକ ସ୍ୱପ୍ନ । ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ । ହେଲେ ସେ ଜାଣି ନଥିଲେ ଯାହାକୁ ନିଜର ଭାବି ନୂଆ ସଂସାର ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ, ଦିନେ ସେମାନେ ହିଁ ତାଙ୍କର ଜୀବନ ନେଇଯିବେ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝୁମ୍ପୁଡିଆ ଗାଁରୁ ଏଭଳି ଅଭିଯୋଗ ଆସିଛି । ମୃତ ନବବଧୂ ହେଲେ କଟକ ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା ପତଣ୍ଡା ଗାଁର ପ୍ରଦୀପ ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା । ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୧ ତାରିଖରେ ଝୁମ୍ପୁଡିଆ ଗାଁର ଦେବୀ ପ୍ରସାଦ ମହାନ୍ତିଙ୍କୁ ଲକ୍ଷ୍ମୀପ୍ରିୟା ବିବାହ କରିଥିଲେ । ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକଙ୍କ ଅଭିଯୋଗ, ଗତ ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଲକ୍ଷ୍ମୀପ୍ରିୟା ତାଙ୍କ ମା’ ଓ ଭାଇଙ୍କ ସହ କଥା ହୋଇଥିଲେ । ସେହି ସମୟରେ ଘରେ କିଛି ଝଗଡ଼ା ଶୁଭିବାରୁ ଫୋନ୍? କଟି ଯାଇଥିଲା । ପରେ ଯୋଗାଯୋଗ ପରେ ଲକ୍ଷ୍ମୀପ୍ରିୟା ଚେତା ଶୂନ୍ୟ ହୋଇଥିବା ଝିଅର ଶ୍ୱଶୁର ଘର ଲୋକ ତାଙ୍କ ପରିବାରକୁ ଜଣାଇଥିଲେ । ଏହାପରେ ତାଙ୍କୁ ଆଠଗଡ଼ ଉପଖଣ୍ଡ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨ ଲକ୍ଷ ଟଙ୍କା ପାଇଁ ଝିଅକୁ ମାରି ଦେଇଥିବା ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୌତୁକ ବାବଦକୁ ବାହାଘର ସମୟରେ ୧ ଲକ୍ଷ ଟଙ୍କା ଦିଆ ଯାଇଥିଲା । ଆଉ ୨ ଲକ୍ଷ ଯୌତୁକ ଟଙ୍କା ମାଗିବାକୁ ନେଇ ଝଗଡ଼ା ହୋଇଥିଲା ବୋଲି ଲକ୍ଷ୍ମୀପ୍ରିୟାଙ୍କ ବାପା କହିଛନ୍ତି । ତେବେ ଯୌତୁକ ଟଙ୍କାକୁ ନେଇ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଲକ୍ଷ୍ମୀପ୍ରିୟାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଝିଅର ବେକରେ ଓ ଦେହରେ ମାଡ ଦାଗଥିବା ଲକ୍ଷ୍ମୀପ୍ରିୟାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଭାପୁର ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି ଢେଙ୍କାନାଳ ସଦର ପୋଲିସ କୋର୍ଟ ଚାଲାଣ କରିଛି । ଯୌତୁକ ପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ବାହାଘରର ୨୫ଦିନ ପରେ ଏହି ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକ ଦାବି କରିଛନ୍ତି ।