ଚଣ୍ଡିଗଡ଼: ଦୀର୍ଘ ପାଞ୍ଚଦିନ ଧରି ପୁଲିସ ଆଖିରେ ଧୁଳି ଦେଇ ଧରାଛୁଆଁ ଦେଉନଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଗିରଫ କରିବାରେ ପଞ୍ଜାବ ପୁଲିସର ସ୍ୱତନ୍ତ୍ର ଟିମ୍ ବିଫଳ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବୁଧବାର ପଞ୍ଜାବ ପୁଲିସ ପକ୍ଷରୁ ଅମ୍ରିତପାଲ ବିରୋଧରେ ଲୁକ୍ଆଉଟ ନୋଟିସ ଓ ଜାମିନ ବିହୀନ ପରୱାନା ଜାରି କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପଞ୍ଜାବ ପୁଲିସ ଆଇଜି ସୁଖଚୈନ୍ ସିଂହ ଗିଲ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ଅମ୍ରିତପାଲ ଗିରଫ ହୋଇପାରିନାହିଁ । ତେବେ ତାକୁ ଖୁବଶୀଘ୍ର ଗିରଫ କରିବାକୁ ପୁଲିସ ସମସ୍ତ ଉଦ୍ୟମ ଜାରି ରଖିଛି । ତେବେ କେବେ ଓ କେଉଁ ଦିନ ତାକୁ ଗିରଫ କରାଯିବ, ତାହା ଏବେଠାରୁ କହିବା କଷ୍ଟକର ବୋଲି ସେ ସ୍ୱୀକାର କରିଛନ୍ତି । ଅମ୍ରିତପାଲ ବେଶ ବଦଳାଇ ବୁଲାବୁଲି କରୁଛି ବୋଲି ପୁଲିସ ଦାବି କରିଛି । ଏହି ପ୍ରସଙ୍ଗରେ ପୁଲିସ ପକ୍ଷରୁ ମଙ୍ଗଳବାର ଅମ୍ରିତପାଲର ୭ଟି ବିଭିନ୍ନ ଫୋଜ୍ର ଫଟୋ ଜାରି କରାଯାଇଛି । କେଉଁ ଫଟୋରେସେ ଶିଖ୍ ବ୍ୟକ୍ତିଙ୍କ ଭଳି ପଗଡି ଓ ପୋଷାକ ପରିଧାନ କରିଥିବାବେଳେ ବାଢି ରଖିଛି ।
ଅନ୍ୟ ଫଟୋରେ ସାଧାରଣ ବ୍ୟକ୍ତିଭଳି ସାର୍ଟ ପିନ୍ଧିଥିବା ଅମ୍ରିତପାଲ ଦାଢିନିଶ କାଟିଦେଇଛି । ତେଣୁ ଲୋକମାନେ ଯେପରି ସହଜରେ ତାକୁ ଠାବ କରିପାରିବେ, ସେଥିପାଇଁ ଏଭଳି ଫଟୋ ଜାରି କରାଯାଇଥିବା ଗିଲ୍ କହିଛନ୍ତି । ପୁଲିସ ସୂଚନା ଅନୁଯାୟୀ ପୁଲିସ ତାକୁ ପିଛା କରୁଥିବାବେଳେ ଅମ୍ରିତପାଲ ଜଳନ୍ଧର ଜିଲ୍ଲାର ନାଙ୍ଗଲସ୍ଥିତ ଏକ ଗୁରୁଦ୍ୱାରରେ ପ୍ରବେଶ କରିଥିଲା । ସେଠାରେ ପୋଷାକ ପରିବର୍ତ୍ତନ କରି କାର୍ ବଦଳରେ ଏକ ବାଇକ୍ରେ ବସି ଯାଉଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ପୁଲିସ କହିଛି । ପୁଲିସ ବୁଧବାର ଦାରାପୁର ନିକଟସ୍ଥ ଏକ କେନାଲ କୂଳରୁ ବଜାଜ ପ୍ଲାଟିନା ବାଇକ୍କୁ ଜବତ କରିଛି । ଅମ୍ରିତପାଲ ଦେଶ ଛାଡି ଅନ୍ୟତ୍ର ପଳାଇ ଯାଇଛି ବୋଲି ଯେଉଁ ସମ୍ବାଦ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି, ତାହାକୁ ପୁଲିସ ଅସ୍ୱୀକାର କରିଛି । ପୁଲିସ ଗତ ଶନିବାରଠାରୁ ଅମ୍ରିତପାଲକୁ ଧରିବାକୁ ଉଦ୍ୟମ ଚଳାଇଛି ।
ଇତିମଧ୍ୟରେ ୧୫୪ ଜଣ ସମର୍ଥକଙ୍କୁ ଗିରଫ କରାଯାଇଥିବାବେଳେ ଅମ୍ରିତପାଲର ସ୍ଥିତାବସ୍ଥା ସମ୍ପର୍କରେ ପୁଲିସକୁ ସଠିକ୍ ସୂଚନା ହସ୍ତଗତ ହୋଇପାରିନାହିଁ । ଅମ୍ରିତପାଲ ଦ୍ୱାରା ପରିତ୍ୟକ୍ତ ଗାଡିକୁ ପୁଲିସ ଜବତ କରିଥିବାବେଳେ ସେଥିରୁ ବ୍ୟାପକ ମାରଣାସ୍ତ୍ର ଉଦ୍ଧାର କରିଛି । ପୁଲିସ ଇତିମଧ୍ୟରେ ଅମ୍ରିତପାଲ ଯେଉଁ ରାସ୍ତା ଦେଇ ପଳାୟନ କରିଛି, ସେହି ସବୁ ରାସ୍ତାରେ ଅବସ୍ଥିତ ଗ୍ରାମବାସୀଙ୍କୁ ପଚରା ଉଚୁରା କରୁଛି । ପୁଲିସ ବୁଧବାର ଅମ୍ରିତପାଲର ଆଉ ୪ ଜଣ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଥିଲେ ସୁଦ୍ଧା ତାକୁ ଠାବ କରିବାରେ ବିଫଳ ହୋଇଛି । ଅମ୍ରିତପାଲ ସମେତ ତା’ ନେତୃତ୍ୱରେ ପରିଚାଳିତ ‘ୱାରିସ ପଞ୍ଜାବ ଦେ’ ସଂଗଠନର ଏକାଧିକ ସଦସ୍ୟଙ୍କ ବିରୋଧରେ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ କରାଯାଇଛି ।