ହେଲସିଙ୍କ: ୱାଲ୍ଡ ହ୍ୟାପିନେସ୍ ରିପୋର୍ଟ ଅନୁଯାୟୀ ଫିନ୍ଲାଣ୍ଡ ବିଶ୍ୱର ସବୁଠାରୁ ସୁଖୀ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଛି । କ୍ରମାଗତ ଷଷ୍ଠ ଥର ପାଇଁ ଫିନ୍ଲାଣ୍ଡକୁ ଏହି ସମ୍ମାନ ମିଳିଛି । ଜାତିସଂଘ ସଂସ୍ଥା ପକ୍ଷରୁ ସୋମବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଡେନମାର୍କ ଓ ଆଇସ୍ଲାଣ୍ଡ ଏହି ତାଲିକାରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ ୧୩୭ଟି ରାଷ୍ଟ୍ରକୁ ସର୍ଭେରେ ସାମିଲ କରାଯାଇଥିଲା । ଇସ୍ରାଏଲ ଗତବର୍ଷ ତୁଳନାରେ ପାଞ୍ଚଟି ପାହ୍ୟା ଉପରକୁ ଉଠି ୪ର୍ଥ ସ୍ଥାନରେ ପହଞ୍ଚିଥିବାବେଳେ ନେଦରଲାଣ୍ଡସକୁ ୫ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ଶ୍ରେଷ୍ଠ ୧୦ ତାଲିକାରେ ସ୍ୱିଡେନ, ନରୱେ, ସ୍ୱିଜରଲାଣ୍ଡ, ଲକ୍ସେମବର୍ଗ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ୬ଷ୍ଠରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି ।
ଭାରତ ଏହି ତାଲିକାରେ ୧୨୬ତମ ସ୍ଥାନରେ ରହିଥିବାବେଳେ ଏହାର ପଡୋଶୀ ନେପାଳ ୭୮, ପାକିସ୍ତାନ ୧୦୮, ଶ୍ରୀଲଙ୍କା ୧୧୨ ଓ ବାଂଲାଦେଶ ୧୧୮ତମ ସ୍ଥାନ ଅଧିକାର କରିିଥିବା ଜଣାପଡିଛି । ବିଶ୍ୱର ସବୁଠାରୁ ଧନଶାଳୀରାଷ୍ଟ୍ର ଆମେରିକା ତାଲିକାରେ ୧୫ଶ ସ୍ଥାନ ଅଧିକାର କରିଛି । ଲେବାନନ୍ ଓ ଆଫ୍ଗାନିସ୍ତାନ ତାଲିକାର ସବୁଠାରୁ ତଳେ (୧୩୭ ଓ ୧୩୬) ସ୍ଥାନ ପାଇଛନ୍ତି । ବ୍ୟକ୍ତିଗତ ସ୍ୱାଧିନତା, ସୁସ୍ଥ ପ୍ରଶାସନିକ ବ୍ୟବସ୍ଥା, ଦୁର୍ନୀତିମୁକ୍ତ ସମାଜ, ଲୋକାଭିମୁଖୀ ଶାସନ ଯୋଗୁଁ ଗୋଟିଏ ରାଷ୍ଟ୍ରର ନାଗରିକମାନେ ଖୁସିରେ ଜୀବନ ଯାପନ କରିବାର ସୁଯୋଗ ପାଇଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । କୋଭିଡ୍ ପରବର୍ତ୍ତୀ ସମୟରେ ଲୋକଙ୍କ ଜୀବନ ଯାପନ ଶୈଳୀରେ ଉନ୍ନତି ପରିଲକ୍ଷିତ ହୋଇଥିବାରୁ ସେମାନେ ପୂର୍ବାପେକ୍ଷା ଅଧିକ ଖୁସି ଥିବା କୁହାଯାଇଛି ।