ନୂଆଦିଲ୍ଲୀ: ଚଳିତମାସ ୩୧ରୁ ଭାରତ-ନେପାଳ ଆସ୍ଥା ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି । ରେଳବାଇ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ୧୦ ଦିନିଆ ଯାତ୍ରା ସମୟରେ ଯାତ୍ରୀଙ୍କୁ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଜରିଆରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ନିଆଯିବାର ଯୋଜନା ରହିଛି । ଏଥିମଧ୍ୟରେ ୪ଟି ଧର୍ମସ୍ଥଳୀ ଓ ଅନ୍ୟାନ୍ୟ ଐତିହ୍ୟ ସ୍ଥଳୀ ଅନ୍ତର୍ଭୁକ୍ତ । କମ୍ପର୍ଟ କ୍ୟାଟେଗୋରୀରେ ଜଣେ ଯାତ୍ରୀଙ୍କୁ ୩୯,୮୫୦ ଟଙ୍କା, ଦୁଇଜଣ ଯାତ୍ରୀ ୩୪,୬୫୦ ଟଙ୍କା ଏବଂ ଜଣେ ଶିଶୁ (୫ରୁ ୧୧ ବର୍ଷ ମଧ୍ୟରେ) ପାଇଁ ୩୧,୧୮୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସୁପିରିୟର କ୍ୟାଟେଗୋରୀରେ ସିଙ୍ଗଲ ଯାତ୍ରୀଙ୍କୁ ୪୭,୮୨୦ ଟଙ୍କା, ଦୁଇଜଣ ଯାତ୍ରୀଙ୍କୁ ୪୧,୫୮୦ ଟଙ୍କା ଏବଂ ଶିଶୁକୁ ମିଶାଇଲେ ୩୭,୪୨୫ ଟଙ୍କା ପୈଠ କରିବାକୁ ପଡିବ ।
ଯାତ୍ରୀଙ୍କୁ ଅଯୋଧ୍ୟାସ୍ଥିତ ରାମ ମନ୍ଦିର, ହନୁମାନ ଗାଦି, ସରଯୂ ଘାଟ ଓ ନନ୍ଦିଗ୍ରାମ, କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର, ଦରବାର ସ୍କୋୟାର, ସ୍ୱୟମ୍ଭୁନାଥ ସ୍ତୂପ, ବାରାଣସୀସ୍ଥିତ ତୁଳନୀ ମାନସ ମନ୍ଦିର, ସଙ୍କଟ ମୋଚନ ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଗଙ୍ଗା ଆରତି ଏବଂ ପ୍ରୟାଗରାଜର ସଙ୍ଗମ ସ୍ଥଳକୁ ନିଆଯିବ । ଉକ୍ତ ଟ୍ରେନ୍ରେ କେବଳ ୩ ଟାୟାର ଏସି ଏବଂ ସମୁଦାୟ ୬୦୦ ବର୍ଥ ରହିଛି । ଏଥିମଧ୍ୟରୁ ୩୦୦ଟି ସାଧାରଣ ବର୍ଥ ଏବଂ ଅନ୍ୟ ୩୦୦ ହେଉଛଇ ସୁପିରିୟର ବର୍ଥ । ପର୍ଯ୍ୟଟନ ସ୍ଥଳରେ ସୁପିରିୟର ପ୍ୟାକେଜ ଯାତ୍ରୀଙ୍କୁ ଏସି ରୁମ୍ ଏବଂ ସାଧାରଣ ପ୍ୟାକେଜ ଯାତ୍ରୀଙ୍କୁ ନନ୍ ଏସି ରୁମ୍ରେ ରଖାଯିବ । ଟ୍ରେନ୍ରେ ମଧ୍ୟାହ୍ନ ଭୋଜନ ବାବଦରେ ଯାତ୍ରୀଙ୍କୁ କେବଳ ନିରାମିଷ ଖାଦ୍ୟ ଦିଆଯିବ । ଟ୍ରେନ୍ ବାହାରେ ଯାତ୍ରୀଙ୍କୁ ହାଇ କ୍ୱାଲିଟୀ ହୋଟେଲ ଓ ରେସ୍ତୋରାଁରେ ଖାଦ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।