ଉତ୍ତରାଖଣ୍ଡ: ସଜବାଜ ହୋଇ ବରଯାତ୍ରୀଙ୍କୁ ଅପେକ୍ଷା କରିଥିଲା ଝିଅ । ଫୋନ କରିବାରୁ ପୁଅର ବାପା କହିଲେ, ଆମେ ବାହାଘର ତାରିଖ ଭୁଲିଯାଇଛୁ। ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହଲଦୱାନୀରେ ଦେଖିବାକୁ ମିଳିଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ହଲଦୱାନୀରେ ମାର୍ଚ୍ଚ ୧ରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । କନ୍ୟା ପକ୍ଷରୁ ସବୁକିଛି ପ୍ରସ୍ତୁତି ସରିଥିଲା । କନ୍ୟା ସଜବାଜ ହୋଇ ବରକୁ ଅପେକ୍ଷା କରି ରହିଥିଲା । ହେଲେ ବରଯାତ୍ରୀ ଅଧିକ ସମୟ ଧରି ନ ଆସିବାରୁ କନ୍ୟାଙ୍କ ଭାଇ ବରଙ୍କ ବାପାଙ୍କୁ କଲ୍ କରିଥିଲେ । ଆଉ ଫୋନରେ ବରଙ୍କ ବାପା କହିଥିଲେ, ଆମେ ବାହାଘର ତାରିଖ ଭୁଲି ଯାଇଛୁ । ୧୦ ମାର୍ଚ୍ଚରେ ବରଯାତ୍ରୀ ନେଇ ଆସିବୁ । ଏହା ପୂର୍ବରୁ ସ୍ୱିଟ ଡିଜାୟର କାର ଦେବାକୁ ପଡିବ । ତେବେ ବରପକ୍ଷରୁ ଏମିତି ଉତ୍ତର ମିଳିବା ପରେ କନ୍ୟା ପକ୍ଷ ପୋଲିସରେ ଅଭିଯୋଗ କରିଛନ୍ତି ।
ମାମଲାଟି ହଲଦୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ଘଟିଛି । ଦୁଇ ପରିବାର ମଧ୍ୟରେ ନିର୍ବନ୍ଧ ଗତବର୍ଷ ଅଗଷ୍ଟରେ ହୋଇଥିଲା । ନିର୍ବନ୍ଧ ସମୟରେ ୨୦୨୩ ମାର୍ଚ୍ଚ ୧ ତାରିଖରେ ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା । ବରପକ୍ଷରୁ ୧୫୦ ବରଯାତ୍ରୀ ଆସିବେ ବୋଲି ମଧ୍ୟ କୁହାଯାଇଥିଲା । କନ୍ୟାଙ୍କ ଭାଇ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ହଲ୍ ମଧ୍ୟ ବୁକ୍ କରିଥିଲେ । ବରଯାତ୍ରୀଙ୍କ ଖାଇବା-ପିଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା । ସବୁକିଛି ସରିଥିବା ସତ୍ତ୍ୱେ ବର ପକ୍ଷରୁ କାର ନେବା ପାଇଁ କହିଥିଲେ । କିନ୍ତୁ କନ୍ୟା ପକ୍ଷରୁ ଆର୍ôଥକ ସ୍ଥିତି ଭଲ ନ ଥିଲା ଏବଂ କାର ଦେବାକୁ ମନା କରିଦେଇଥିଲେ । ପରେ ସେମାନେ ବାହାଘର କରିବାକୁ ରାଜି ହୋଇଥିଲେ । ହେଲେ ବାହାଘର ଦିନ ବରଯାତ୍ରୀ ନ ଆସିବାରୁ କନ୍ୟାର ଭାଇ ଫୋନ କରିବାକୁ ବରର ବାପା ଅଜବ ଉତ୍ତର ଦେଇଥିଲେ । ଯାହା ଫଳରେ କନ୍ୟା ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।