ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ବଅଁରପାଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କ ନିକଟକୁ ୨୦ ଦିନ ତଳେ ଏକ ଅଜଣା ଫୋନ୍ କଲ୍ ଆସିଥିଲା । ଜଣେ ଯୁବକ ଏହି ଫୋନ୍ କରିଥିଲେ । ଯୁବକ ତାଙ୍କସହ ପ୍ରେମସମ୍ପର୍କ ସ୍ଥାପନକରି ବିବାହର ପ୍ରତିଶ୍ରୁତି ଦେଇ ଗତ ୨୦ ତାରିଖରେ ତାଙ୍କ ଘର ପାଖରୁ ଯୋଜନାବଦ୍ଧ ଭାବେ ଅପହରଣ କରିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ନାବାଳିକା ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗପାଇ ପୁଲିସ ଏକ ନିଖୋଜ ମାମଲା ରୁଜୁକରିଥିଲା । ଯୁବକ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶର ନେଲୋରେ ନେଇ ଦୁଷ୍କର୍ମକରିଥିଲା। ପରେ ନାବାଳିକାଙ୍କୁ ବିକି ଦେବାର ଯୋଜନା କରିଥିଲା । ନାବାଳିକା କୌଣସି ପ୍ରକାରେ ଯୁବକଙ୍କ କବଳରୁ ନିଜକୁ ଉଦ୍ଧାରକରି ନେଲୋର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ନେଲୋର ପୁଲିସ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣକରି ବଅଁରପାଳ ପୁଲିସକୁ ଖବର ଦେଇଥିଲା । ବଅଁରପାଳ ପୁଲିସ ନେଲୋରରୁ ନାବାଳିକାଙ୍କୁ ଉଦ୍ଧାରକରି ଗିରଫ ଯୁବକଙ୍କୁ ଆଣିଥିଲା । ଏହି ଯୁବକ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକମୁଣ୍ଡା ଗାଁର ସନ୍ତୋଷ ପ୍ରଧାନ(୨୪) । ଉଭୟଙ୍କ ଡାକ୍ତରୀ ପରୀକ୍ଷାପରେ ନାବାଳିକାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି ।