ଥିରୁଅନନ୍ତପୁରମ: ଇସ୍ରାଏଲ ବୁଲିବାକୁ ଯାଇଥିବାବେଳେ କେରଳର ୭ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି । ପୂର୍ବରୁ କେରଳର ୬ ଜଣ ଖ୍ରୀଷ୍ଟିଆନ ତୀର୍ଥଯାତ୍ରୀ ନିଖୋଜ ଥିବାର ଅଭିଯୋଗ ହୋଇଥିଲା । ଏହାର ଦିନକ ପରେ ଇସ୍ରାଇଲ ଯାଇଥିବା କେରଳ ସରକାରଙ୍କ ପ୍ରତିନିଧି ମଣ୍ଡଳୀର ଜଣେ ସଦସ୍ୟଙ୍କର ମଧ୍ୟ କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ହଠାତ୍ ଏପରି ୭ ଜଣ କୁଆଡେ ଗାଏବ ହୋଇଯିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଖୋଜଙ୍କ ମଧ୍ୟରେ ବିଜୁ କୁରିଆନ ନାମକ ଜଣେ ୪୮ ବର୍ଷୀୟ କୃଷକ ଅଛନ୍ତି, ଯିଏକି ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀରେ ସଦସ୍ୟ ଥିଲେ । ଯାହା ସୂଚନା ମିଳିଛି, ଅତ୍ୟାଧୁନିକ କୃଷି ଜ୍ଞାନକୌଶଳ ଉପରେ ଅଧ୍ୟୟନ ପାଇଁ କେରଳ କୃଷି ବିଭାଗ ପକ୍ଷରୁ ଫେବୃୟାରୀ ୧୨ରେ କୃଷକଙ୍କ ଏକ ୨୭ ଜଣିଆ ପ୍ରତିନିଧି ମଣ୍ଡଳୀ ଇସ୍ରାଏଲ ଯାଇଥିଲେ ।
ଏହି ପ୍ରତିନିଧି ମଣ୍ଡଳୀରେ କନ୍ନୁର ନିବାସୀ ୪୮ ବର୍ଷୀୟ କୃଷକ ବିଜୁ କୁରିଆନ ରହିଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ବିଜୁ କୁଆଡେ ଫେରାର୍ ହୋଇଯାଇଥିଲେ । ଏହାପରେ ଗତ ୨୦ ତାରିଖରେ ଉକ୍ତ ପ୍ରତିନିଧି ମଣ୍ଡଳୀ କୋଚିରେ ପହଞ୍ଚି ତାଙ୍କର ନିଖୋଜ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଏହାର ଦିନକ ପୂର୍ବରୁ ଇସ୍ରାଏଲ ବୁଲିବାକୁ ଯାଇଥିବା ୨୬ ଜଣିଆ ଖ୍ରୀଷ୍ଟିଆନ ତୀର୍ଥଯାତ୍ରୀଙ୍କ ଟିମ୍ ମଧ୍ୟରୁ ୬ ଜଣ କୁଆଡେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଏହି ଇସ୍ରାଏଲ ଟ୍ରିପ୍ ପରିଚାଳନା କରୁଥିବା ମଲାଙ୍କରା କାଥୋଲିକ ଚର୍ଚ୍ଚର ପାଦ୍ରୀ ଜର୍ଜ ଜୋସୁଆ କେରଳ ଡିଜିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ଫେବୃୟାରୀ ୮ରେ ଜର୍ଜ ଜୋସୁଆ ଏବଂ ତାଙ୍କର ୨୬ ଜଣିଆ ଟିମ୍ ଇସ୍ରାଏଲ ଯାଇଥିଲେ । ଏହି ଗ୍ରୁପ ଇଜିପ୍ଟ, ଜୋରଡାନ ପରିଦର୍ଶନ କରି ଫେବୃୟାରୀ ୧୧ରେ ଇସ୍ରାଏଲରେ ପହଞ୍ଚିଥିଲେ ।
ସେଠାରେ ପହଞ୍ଚି ସମସ୍ତେ ହୋଟେଲରେ ରହିଥିବା ବେଳେ ହଠାତ୍ ଟିମର ଜଣେ ୬୯ ବର୍ଷୀୟା ମହିଳାଙ୍କ ସମେତ ୬ ଜଣ ସଦସ୍ୟ କୁଆଡେ ପଳାଇ ଯାଇଥିଲେ । ପ୍ରଥମେ ୧୪ ତାରିଖ ସକାଳେ ୩ ଜଣ ତୀର୍ଥଯାତ୍ରୀ କୁଆଡେ ଚାଲିଯାଇଥିବା ବେଳେ ୧୫ ତାରିଖ ଦିନ ଆଉ ୩ ଜଣଙ୍କ ପତ୍ତା ମିଳିନଥିଲା । ଏନେଇ ଜର୍ଜ ଜୋସୁଆ ଇସ୍ରାଏଲ ଇମିଗ୍ରେସନ ପୋଲିସ ଏବଂ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ନିଖୋଜ ରହିଥିବା ୬ ଜଣ ତୀର୍ଥଯାତ୍ରୀ ସାଙ୍ଗରେ ନିଜର ପାସପୋର୍ଟ ମଧ୍ୟ ନେଇନଥିବା ଜଣାପଡିଛି । ଏହାପରେ ଅନ୍ୟ ତୀର୍ଥଯାତ୍ରୀମାନେ ଗତ ୧୯ ତାରିଖରେ କେରଳ ଫେରି ଡିଜିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଏହି ଘଟଣାର ଦିନକ ପରେ ବିଜୁ କୁନେର ନାମକ ଆଉ ଜଣେ କେରଳ ନିବାସୀ ଇସ୍ରାଏଲରେ ନିଖୋଜ ଥିବା ଅଭିଯୋଗ ହୋଇଛି ।