ପାଟନା: ଫେବୃୟାରୀ ୧୩ ବା ପ୍ରେମ ସପ୍ତାହର ଚୁମ୍ବନ ଦିବସରେ ବାହାଘର ହେଲା । ୧୪ ତାରିଖ ଦିନ କୂଅରୁ ମିଳିଲା ନବବଧୂଙ୍କ ମୃତଦେହ । ବିହାର ଜମୁଇ ଜିଲ୍ଲା ଅନ୍ତର୍ଗତ ଗିଦ୍ଦୌର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବିବାହର ଦିନକ ପରେ ଶାଶୁଘର ଲୋକେ ନବବଧୂଙ୍କ ଗଳା ଚିପି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ମୃତକଙ୍କ ଶାଶୁଘର ଲୋକେ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜମୁଇ ଜିଲ୍ଲା ମୌରା ଗ୍ରାମ ନିବାସୀ ମୋ. ମଞ୍ଜୁର ଆଲମ ଅନସାରୀଙ୍କ ଝିଅ ସଲମା ଖାତୁନ ସେହି ଗାଁର ଓକିଲ ଅନସାରୀଙ୍କ ପୁଅ ସନାଉଲ ଅନସାରୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କ ବାବଦରେ ଜାଣିବା ପରେ ସଲମା ବିବାହ କରିବାକୁ ପ୍ରେମିକକୁ କହିଥିଲେ ।
ହେଲେ ବିବାହ ପାଇଁ ସନାଉଲ ଯୁବତୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରେମିକା ସଲମା ମଧ୍ୟ ଏଥିରେ ରାଜି ହୋଇ ନିଜ ବାପାଙ୍କ ଠାରୁ ଟଙ୍କା ନେଇ ସନାଉଲଙ୍କୁ ଦେଇଥିଲେ । ଏହାପରେ ଗତ ୧୩ ତାରିଖ ଦିନ କୋର୍ଟରେ ଦୁହିଁଙ୍କ ବିବାହ ହୋଇଥିଲା । କିନ୍ତୁ ବାହାଘରର ଦିନକ ପରେ ଯୁବତୀଙ୍କ ମୃତଦେହ କୂଅରେ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, କୋର୍ଟରେ ବିବାହ ପରେ ସଲମା ସନାଉଲ ଅନସାରୀଙ୍କ ବିବାହର ପ୍ରମାଣପତ୍ର ମାଗିଥିଲେ । ମାତ୍ର ସେ ଦେବାକୁ ମନା କରିଦେଇଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ତେଣୁ ସ୍ୱାମୀ, ଶ୍ୱଶୁର, ଶାଶୁ ଏବଂ ତିନି ନଣନ୍ଦ ମିଶି ସଲମାଙ୍କୁ ଖୁବ୍ ମାଡ ମାରିଥିଲେ । ଏହାପରେ ତାଙ୍କୁ ହତ୍ୟା କରି ମୃତଦେହକୁ କୂଅରେ ଫିଙ୍ଗି ଫେରାର୍ ହୋଇଗଲେ । ପରିବାରର ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି ।