ନୂଆଦିଲ୍ଲୀ: : ଚାକିରି ଦେବା ଆଳରେ ମହିଳାଙ୍କୁ ଦୁଷ୍କର୍ମ । ଇଣ୍ଟରଭ୍ୟୁ ପାଇଁ ଡକାଇ ନିଶା ଦେଇ କାର୍ ଭିତରେ ଦୁଷ୍କର୍ମ କଲା ଅଭିଯୁକ୍ତ । ହରିୟାଣାର ଗୁରୁଗ୍ରାମରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଚାକିରି ଦେବାକୁ ଡକାଇଥିବା ବ୍ୟକ୍ତି ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ ମହିଳାଙ୍କୁ ମଲର ବେସମେଣ୍ଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତନଘନା ଚଳାଇଛି । ଅଭିଯୋଗ ମୁତାବକ, ଗୁରୁଗ୍ରାମ ଡିଏଲଏଫ ଅଞ୍ଚଳର ରହୁଥିବା ଇଞ୍ଜିନିୟରିଂ ଗ୍ରାଜୁଏଟ ମହିଳା ଅନଲାଇନରେ ଚାକିରି ଖୋଜାଖୋଜି କରୁଥିଲେ । ଏହି ସମୟରେ ତୁଷାର ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଯୋଗଯୋଗ ହୋଇଥିଲା । ତୁଷାର ମହିଳାଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଇଣ୍ଟରଭ୍ୟୁ ଦେବାକୁ ତାଙ୍କୁ ସାହାରା ମଲକୁ ଡକାଇଥିଲେ ।
ଟେଲିଫୋନ ବାର୍ତ୍ତାଳାପ ଅନୁସାରେ ମହିଳା ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ସହ ଇଣ୍ଟରଭ୍ୟୁ ପାଇଁ ଦିନ ୧ଟା ସମୟରେ ମଲରେ ପହଞ୍ଚିଥିଲେ । ତୁଷାର ମଲ୍ ଗେଟ୍ ସମ୍ମୁଖରେ ତାଙ୍କୁ ଭେଟିବା ସହ ବେସମେଣ୍ଟ ଅଞ୍ଚଳକୁ ଡାକି ନେଇଥିଲେ । ସେଠାରେ ସେ ମହିଳାଙ୍କୁ ନିଶା ପଦାର୍ଥ ମିଶିଥିବା ପାଣି ପିଇବାକୁ ଦେଇଥିଲେ । ମହିଳା ପାଣି ପିଇ ଅଚେତ ହୋଇଯିବା ପରେ ସେ ତାଙ୍କୁ ନିଜ କାର୍ ଭିତରକୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ ଫେରାର୍ ହୋଇଯାଇଥିଲା । ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକାଇଥିଲା । ଏନେଇ ପୀଡିତା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଡାକ୍ତରୀ ମାଇନା ପାଇଁ ପଠାଇଛି । ଏହାସହିତ ମଲରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛି ପୋଲିସ । ବର୍ତ୍ତମାନ ଅଭିଯୁକ୍ତ ତୁଷାର ଶର୍ମାକୁ ଧରିବାକୁ ତନାଘନା ଆରମ୍ଭ କରିଛି ପୋଲିସ ।