ନୂଆଦିଲ୍ଲୀ: ୧୪ ବର୍ଷୀୟା ଜଣେ ନାବାଳିକା ହଠାତ ନିଖୋଜ ହୋଇଗଲେ । ଅନେକ ଦିନ ଧରି ତାଙ୍କୁ ଖୋଜା ଚାଲିଲା । ୧୮ ମାସ ପରେ ଏକ ଘରର ଆଲମାରୀରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ଏହି ଘରେ ରହୁଥିବା ଲୋକଙ୍କ କହିବା କଥା ହେଲା ଆମକୁ ଜଣା ନାହିଁ ଏହି ଝିଅ ଏଠାକୁ କେମିତି ଆସିଲେ । ଅନ୍ୟପଟେ ନାବାଳିକାଙ୍କୁ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । କାହିଁକି ନା ସେ ଗର୍ଭବତୀ ଥିଲେ । ଏପରି ଘଟଣା ଘଟିଛି ଆମେରିକା ମିଶିଗନରେ । ବର୍ତ୍ତମାନ ନାବାଳିକା ଜଣଙ୍କୁ ପଚରାଉଚାରା କରୁଛି ପୁଲିସ ।
ରିପୋର୍ଟ ଅନୁସାରେ, ପ୍ରାୟ ୧୮ ମାସ ପୂର୍ବରୁ ଏହି ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ । ପୁଲିସ ତାଙ୍କୁ ଖୋଜିବାକୁ ଲାଗିଥିଲା, ସେତେବେଳେ ନାବାଳିକାଙ୍କୁ ଅନ୍ୟ ଏକ ଘରର ଆଲମାରୀରୁ ଲୁଚିଥିବା ଅବସ୍ଥାରେ ପାଇଥିଲା । ତଦନ୍ତ ପରେ ଜଣା ପଡ଼ିଥିଲା ଯେ ନାବାଳିକା ଜଣଙ୍କ ଗର୍ଭବତୀ । ଏନେଇ ପୁଲିସ ଅଧିକାରୀ ରବର୍ଟ ୱାଣ୍ଟସନ କହିଛନ୍ତି, ନାବାଳିକା ଜଣଙ୍କ ୪ ରୁ ୫ ମାସ ଗର୍ଭବତୀ ଅଛନ୍ତି । ନାବାଳିକାଙ୍କୁ ମିଶିଗନ ସ୍ଥିତ ପୋର୍ଟ ହ୍ୱାରନ ନିକଟ ଏକ ଘରୁ ମିଳିଛି ।
ହେଲେ ସେହି ଘର ଲୋକଙ୍କ କହିବା କଥା ହେଲା ସେମାନଙ୍କୁ ଜଣାନଥିଲା, ଏହି ନାବାଳିକା ଜଣଙ୍କ ଏଠାକୁ କେମିତି ଆସିଛନ୍ତି । ପୁଲିସ ଅଧିକାରୀ କହିଛନ୍ତି, ନାବାଳିକା ଜଣଙ୍କ ଆଲମାରୀ ଭିତରେ କାନ୍ଦୁଥିଲେ । ସେ ଖୁବ ଡରି ଯାଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କ ପିତାଙ୍କ ନିକଟକୁ ଛଡ଼ା ଯାଇଥିଲା । ଏନେଇ ପୁଲିସ କହିଛି ଯେ ତାଙ୍କୁ ଅପହରଣ କରିବା ପଛରେ ତାଙ୍କ ମାଆଙ୍କର ହାତ ରହିଛି । ସେ ନାବାଳିକାଙ୍କୁ ଅନେକ ଥର ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ । ବର୍ତ୍ତମାନ ତଦନ୍ତ ଜାରି ରହିଛି । ତାଙ୍କୁ ମାଆଙ୍କୁ ଗିରଫ କରାଯାଇଛି ।