ହାଇଦ୍ରାବାଦ: ହରିୟାଣାର ଗୁରୁଗ୍ରାମରୁ ଅତ୍ୟନ୍ତ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଗୁରୁଗ୍ରାମର ଜଣେ ଦମ୍ପତି ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ୧୪ ବର୍ଷୀୟା ନାବାଳିକା ଉପରେ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏହି ଦମ୍ପତି ନାବାଳିକାଙ୍କୁ ପ୍ରତିଦିନ ମାରପିଟ୍ କରୁଥିଲେ । ସାରା ଦିନ ଖାଇବାକୁ ଦେଉନଥିଲେ । ଯାହାଫଳରେ ଭୋକ ଉପାସରେ ଛଟପଟ ହୋଇ ନାବାଳିକା ଡଷ୍ଟବିନରୁ ଅଇଁଠା ଖାଦ୍ୟ ଗୋଟାଇ ଖାଉଥିଲେ । ଏପରିକି ସେହି ଦମ୍ପତି ବ୍ଲେଡରେ ନାବାଳିକାଙ୍କ ଶରୀର କାଟିବା ସହ ଗରମ ଚିମୁଟାରେ ଚେଙ୍କ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଦୀପିକା ନାରାୟଣ ଭରଦ୍ୱାଜ ନାମକ ଜଣେ ସାମ୍ବାଦିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଏହି ଘଟଣା ଜାଣି ଥାନାରେ ଅଭିଯୋଗ କରିବା ପରେ ପୀଡିତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଅଭିଯୁକ୍ତ ଦମ୍ପତି ହେଉଛନ୍ତି ମନୀଷ କୌର ଏବଂ କମଲଜିତ କୌର ।
ଦୁହେଁ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ । ସେମାନେ ନିଜ ୩ ବର୍ଷୀୟା ଝିଅର ଦେଖାଶୁଣା କରିବା ପାଇଁ ଏକ ନିଯୁକ୍ତ ସଂସ୍ଥା ଜରିଆରେ ୫ ମାସ ତଳେ ରାଞ୍ଚିରୁ ୧୪ ବର୍ଷୀୟା ନାବାଳିକାକୁ ଘରୋଇ ସହାୟିକା ଭାବେ ଆଣିଥିଲେ । ସେବେଠାରୁ ଏହି ଦମ୍ପତି ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଗତ ୫ ମାସ ଭିତରେ ସେମାନେ ନାବାଳିକାଙ୍କୁ ଟଙ୍କାଟିଏ ଦରମା ଦେଇନଥିଲେ । ହେଲେ ଏତିକି ଗୋଟିଏ ଦିନ ନଥିଲା ଯେଉଁ ଦିନ ଦୁହେଁ ନାବାଳିକାଙ୍କୁ ମାରପିଟ୍ କରୁନଥିଲେ । ସେମାନେ ନାବାଳିକାଙ୍କୁ ଖାଇବାକୁ ଦେଉନଥିଲେ । ଫଳରେ ପୀଡିତା ଡଷ୍ଟବିନରୁ ଅଇଁଠା ଖାଦ୍ୟ ଖାଇ ବଞ୍ଚୁଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ନାବାଳିକାଙ୍କୁ ମାରପିଟ୍ କରିବା ସହ ବ୍ଲେଡରେ ତାଙ୍କ ଶରୀରର କାଟି ଦେଉଥିଲେ । ଦେହରେ ଗରମ ଚିମୁଟା ମାରୁଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଓ ସଖୀର ଏକ ମିଳିତ ଟିମ୍ ତାଙ୍କୁ ଗୁରୁଗ୍ରାମ ନ୍ୟୁକଲୋନୀରୁ ଉଦ୍ଧାର କରିଛି । ଉଦ୍ଧାର ସମୟରେ ନାବାଳିକାଙ୍କ ସାରା ଶରୀରରେ କଟା ଦାଗ ଓ କ୍ଷତ ଚିହ୍ନ ଦେଖିବାକୁ ମିଳିଛି ।