ତୁର୍କୀ: ପୁଣି ଦୋହଲିଲା ତୁର୍କୀ । ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଝଟ୍କା ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି । ସୋମବାର ସକାଳେ ରିକ୍ଟର ସ୍କେଲରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ ମୃତ୍ୟୁସଂଖ୍ୟା ୧୩୦୦ ଟପିଯାଇଛି । ଏହି ଝଟ୍କାର ପାଖାପାଖି ୧୨ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୪ଟା ସମୟରେ ଦ୍ୱିତୀୟ ଥର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୭.୫ । ସୋମବାର ତୁର୍କୀରେ ଆସିଥିବା ଏହି ଭୟଙ୍କର ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୫୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ତୁର୍କୀରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପୀଡ଼ିତ ଲୋକମାନଙ୍କୁ ମସ୍ଜିଦରେ ଶରଣ ଦିଆଯାଉଛି । ସକାଳେ ଭୂମିକମ୍ପର ପ୍ରଥମ ଝଟ୍କା ପରେ ଏବେ ଅନୁଭୂତ ହୋଇଛି ଦ୍ୱିତୀୟ ଝଟ୍କା, ଯେଉଁଥିରେ ତୁର୍କୀ ଏକ ପ୍ରକାର ଧ୍ୱଂସ ସ୍ତପରେ ପରିଣତ ହୋଇଛି । ତୁର୍କୀରେ ଭୂମିକମ୍ପର ସ୍ଥାନୀୟ ସମୟ ଅନୁସାରେ, ସକାଳ ୪ଟା ୧୭ରେ ପ୍ରଥମ ଭୂମିକମ୍ପ ଆସିଥିଲା । ଏହାର ଗଭୀରତା ଭୂମିଠାରୁ ୧୭.୯ କିଲୋମିଟର ଭିତରେ ଥିଲା । ଭୂମିକମ୍ପର କେନ୍ଦ୍ର ଥିଲା ଗାଜିୟାଣ୍ଟେପ୍, ଯାହାକି ସିରିୟା ସୀମାଠାରୁ ୯୦ କିଲୋମିଟର ଦୂରରେ ରହିଛି । ତେଣୁ ସିରିୟାର ଅନେକ ସହରରେ ମଧ୍ୟ ଭୂମିକମ୍ପର ତୀବ୍ର ଝଟ୍କା ଅନୁଭବ କରାଯାଇଛି । କୁହାଯାଉଛି କି, ସୀମାର ଉଭୟ ପଟେ ପ୍ରବଳ କ୍ଷୟକ୍ଷତି ହୋଇଛି ।