ଜୟପୁର: ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଜୟପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସହରବାସୀ ପୂରା ଉତ୍ସାହିତ ରହିଥିବା ବେଳେ କଲେଜ ପଡିଆକୁ ଖୁବ୍ ସୁନ୍ଦର ଭାବେ ସଜା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସକାଶେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତକାଲି ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ମଞ୍ଚରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବେ।
ଏହା ପୂର୍ବରୁ ଏକ ଅଡିଓ ଭିଜୁଆଲ୍ କ୍ଲିପ୍ ଜରିଆରେ କୋରାପୁଟ୍ରେ ହୋଇଥିବା ବିକାଶର ଚିତ୍ରକୁ ଦେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ପ୍ରଭାବରେ କିପରି କୋରାପୁଟ ବିକାଶ ପଥରେ ଆଗେଇଛି ତାହା ଏହି କ୍ଲିପ୍ରେ ଦୃଶ୍ୟମାନ ହୋଇଛି। ଏଥିସହ ମୁଖ୍ୟମନ୍ତ୍ରୀ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅନେକ ବର୍ଷର ଦାବି ଶେଷରେ ପୂରଣ ହୋଇଥିବାରୁ କଲେଜ କର୍ମଚାରୀ, ପୁରାତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଏପରିକି ଗତକାଲି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପରିକି ଆଜି ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ମଞ୍ଚକୁ ଯାଉଥିବା ବେଳେ ଉପସ୍ଥିତ ଲୋକମାନେ ‘ନବୀନ ପଟ୍ଟନାୟ ଧନ୍ୟବାଦ’ ବୋଲି ବି ସ୍ଲୋଗାନ ଦେଇଥିବା ଶୁଣିବାକୁ ମିଳିଥିଲା।