ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍ ରାଷ୍ଟ୍ରନାୟକ ଦେଶକୁ ସ୍ବାଧୀନତା ଦେବା ପାଇଁ ସହିଥିବା କଷ୍ଟ ଓ କରିଥିବା ତ୍ୟାଗକୁ ଆଜି ବି ପ୍ରତି ଭାରତୀୟ ବିଶେଷ କରି ଓଡ଼ିଶାବାସୀ ଝୁରି ହେଉଛନ୍ତି। ସେଥିପାଇଁ ତାଙ୍କ ସ୍ମୃତିକୁ କାଳକାଳକୁ ସାଇତି ରଖିବାକୁ ଯଥେଷ୍ଟ ପ୍ରୟାସ କରାଯାଇଛି; ଯାହାର ଫଳସ୍ବରୂପ କାଳକ୍ରମେ ନେତାଜୀଙ୍କ ସ୍ମୃତିରେ ଓଡ଼ିଶାରେ ଗଢିଉଠିଛି ଅନେକ ସଂଗ୍ରହାଳୟ…
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ
କଟକ ସହରର ଓଡ଼ିଆ ବଜାରରେ ଥିବା ‘ଜାନକୀନାଥ ଭବନ’ର କେବଳ କଟକ ସହରରେ ନୁହେଁ ବରଂ ସମଗ୍ର ରାଷ୍ଟ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ମହାନ୍ ରାଷ୍ଟ୍ରନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଏହି ଘରେ ଜନ୍ମ ନେବା ସହ ଶୈଶବ ଓ କୈଶୋରାବସ୍ଥା ଏହିଠାରେ କଟାଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲ୍ରୁ ନେତାଜୀ ମାଟ୍ରିକ୍ ପାସ୍ କରିବା ପର୍ଯ୍ୟନ୍ତ ନିଜର ୭ ଭାଇ ଓ ୬ ଭଉଣୀଙ୍କ ସହ ଏହି ଘରେ ରହୁଥିଲେ। ଜଣେ ମେଧାବୀ ଛାତ୍ର ଭାବେ ୧୯୧୩ ମସିହାରେ କଲିଜିଏଟ୍ ସ୍କୁଲ୍ରୁ ମାଟ୍ରିକ ପାସ୍ କରିବା ପରେ ନେତାଜୀ କଲିକତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିଲେ। ତେବେ ଭାରତ ବିରୋଧୀ ବାକ୍ୟ ବ୍ୟବହାର କରୁଥିବା ଜଣେ ଅଧ୍ୟାପକଙ୍କୁ ବିରୋଧ କରି ସେ କଲେଜରୁ ବହିଷ୍କୃତ ହେବାପରେ ପୁଣି କଟକକୁ ଫେରିଆସିଲେ ଏବଂ ସମାଜସେବାରେ ସାମିଲ ହେବା ସହ ଓଡ଼ିଆ ବଜାରର ଯୁବକମାନଙ୍କୁ ଏକାଠି କରି ଜାନକୀନାଥ ଭବନରେ ଦୁର୍ଗାପୂଜା ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ସାର୍ବଜନୀନ ଦୁର୍ଗାପୂଜାରେ ପରିଣତ ହୋଇଥିଲା। ୧୯୧୭ ମସିହାରେ ସେ ପୁଣି ଉଚ୍ଚଶିକ୍ଷା ପାଇଁ କଲିକତା ଯାଇଥିଲେ। ନେତାଜୀଙ୍କ ଏହି ପୈତୃକ ଘର ‘ଜାନକୀନାଥ ଭବନ’ର ନାମକରଣ ତାଙ୍କ ବାପା ପ୍ରଖ୍ୟାତ ଓକିଲ ଜାନକୀନାଥ ବୋଷଙ୍କ ନାମାନୁସାରେ ହୋଇଥିଲା। କଟକ ବାହାରେ ରହୁଥିଲେ ବି ୧୯୩୪ ମସିହା ପର୍ଯ୍ୟନ୍ତ ଏହି ଘର ସହ ନେତାଜୀଙ୍କର ସମ୍ପର୍କ ଥିଲା। ହେଲେ ତାଙ୍କ ବାପାଙ୍କ ପରଲୋକ ପରେ ଏଠାରୁ ନେତାଜୀଙ୍କର ସମ୍ପର୍କ ତୁଟି ଯାଇଥିଲା। ଭିନ୍ନ ଭିନ୍ନ ଅବସ୍ଥା ଦେଇ ଏହି ଘର ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନିକଟକୁ ଫେରିଥିଲା। ୨୦୦୪ ମସିହାରେ ରାଜ୍ୟ ସରକାର ନେତାଜୀଙ୍କର ଏହି ଘରକୁ ସ୍ବତନ୍ତ୍ର ରୂପ ଦେଇ ‘ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ’ ଭାବେ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଥିଲେ। ବର୍ତ୍ତମାନ ଉକ୍ତ ସଂଗ୍ରହାଳୟର ତତ୍ତ୍ୱାବଧାରକ ଦାୟିତ୍ୱରେ ଥିବା ଜ୍ୟୋତିପ୍ରକାଶ ଦାସ କୁହନ୍ତି, ୨୩ ପ୍ରକୋଷ୍ଠ ବିଶିଷ୍ଟ ଏହି ଦ୍ୱିତଳ ବାସଭବନକୁ ୧୨ଟି ଗ୍ୟାଲେରିରେ ବିଭକ୍ତ କରାଯାଇ ସେଠାରେ ନେତାଜୀଙ୍କ ଜୀବନୀ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ଓ ଫଟୋକୁ ରଖାଯାଇଛି। ପ୍ରଥମ ଗ୍ୟାଲେରିରେ ରହିଛି ନେତାଜୀଙ୍କ ଷ୍ଟଡି ରୁମ୍, ଯେଉଁଠି ନେତାଜୀ ବସି ପାଠ ପଢୁଥିଲେ। ସିଏ ବ୍ୟବହାର କରୁଥିବା ଜ୍ୟାମିତି ବାକ୍ସ, ଦୁଆତ, ପ୍ଲାଟିନମ୍ କଲମ, ଚେୟାର୍, ଟେବୁଲ୍, ବହିଥାକ ଓ କଣ୍ଢେଇ ଆଦି ଏହି କକ୍ଷରେ ରହିଛି। ତା’ସହିତ ନେତାଜୀଙ୍କ ପାରିବାରିକ ଫଟୋକୁ ମଧ୍ୟ ଏଠାରେ ସ୍ଥାନ ଦିଆଯାଇଛି। ଦ୍ବିତୀୟ ଗ୍ୟାଲେରିରେ ନେତାଜୀଙ୍କ ବାଲ୍ୟଜୀବନ ସମ୍ବନ୍ଧୀୟ ଅନେକ ଫଟୋ ରହିଛି। ବିଶେଷକରି ତାଙ୍କର ତତ୍କାଳୀନ ପ୍ରଧାନଶିକ୍ଷକ ବେଣୀମାଧବ ଦାସ ଓ ନାରାୟଣ ପ୍ରସାଦ ମହାନ୍ତିଙ୍କର ଫଟୋ ସହିତ ସ୍କୁଲ୍ର ଫଟୋ ମଧ୍ୟ ଏଠାରେ ରହିଛି। ତୃତୀୟ ଗ୍ୟାଲେରିରେ ନେତାଜୀ ବିଭିନ୍ନ କାରାଗାରରେ ଥିବା ସମୟରେ ଯେଉଁ ଚିଠି ଲେଖିଥିଲେ ତାହାକୁ ସ୍ଥାନ ଦିଆଯାଇଛି।
ଚତୁର୍ଥ ଗ୍ୟାଲେରିରେ ନେତାଜୀଙ୍କର ରାଜନୈତିକ ଜୀବନ ସମ୍ବନ୍ଧୀୟ ଓ କେତେଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ନେଇ ରହିଛି ଅନେକ ଫଟୋ। ପଞ୍ଚମ ଗ୍ୟାଲେରିରେ ନ୍ୟାଶନାଲ ବ୍ୟାଙ୍କ ଅଫ୍ ଆଜାଦ ହିନ୍ଦ୍ ଲିମିଟେଡର ପ୍ରତିକୃତି ଓ ତଥ୍ୟ ସ୍ଥାନ ପାଇଛି। ଏହି ବ୍ୟାଙ୍କଟି ଅସ୍ଥାୟୀ ଆଜାଦ୍ ହିନ୍ଦ୍ ସରକାରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ନେତାଜୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ଷଷ୍ଠ ଗ୍ୟାଲେରିରେ ଆଜାଦ୍ ହିନ୍ଦ୍ ଫୌଜ (ଆଇଏନ୍ଏ) ଓ ଅସ୍ଥାୟୀ ଆଜାଦ ହିନ୍ଦ୍ର ସରକାର ସମ୍ବନ୍ଧୀୟ କିଛି ଫଟୋ ଓ ତଥ୍ୟକୁ ଦର୍ଶାଯାଇଛି। ସପ୍ତମ ଗ୍ୟାଲେରିରେ ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟଙ୍କ ଦ୍ବାରା ବ୍ୟବହୃତ ପୋଷାକ ତଥା କ୍ୟାଡର୍ଙ୍କ ଦ୍ୱାରା ବ୍ୟବହୃତ ଖଣ୍ଡାକୁ ସ୍ଥାନ ଦିଆଯିବା ସହ ଆଇଏନ୍ଏରେ ନେତାଜୀଙ୍କର ବିଭିନ୍ନ କାର୍ଯ୍ୟକଳାପ ସମ୍ବନ୍ଧୀୟ ଫଟୋକୁ ବି ସ୍ଥାନ ଦିଆଯାଇଛି। ଏଥିସହିତ ନେତାଜୀଙ୍କ ଦ୍ୱାରା ପ୍ରଚଳିତ ଡାକ ଟିକଟ ଓ କ୍ୟାଡର୍ଙ୍କର ବ୍ୟାଚ୍ ଆଦି ବି ଏଠି ରହିଛି। ଅଷ୍ଟମ ଗ୍ୟାଲେରିରେ ନେତାଜୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆଜାଦ୍ ହିନ୍ଦ୍ ରେଡିଓକୁ ଦର୍ଶାଯାଇଥିବା ବେଳେ ନବମଟି ହେଉଛି ତାଙ୍କର ଜନ୍ମ ପ୍ରକୋଷ୍ଠ। ଏହି ପ୍ରକୋଷ୍ଠରେ ନେତାଜୀଙ୍କର ଖଟ (ଯେଉଁ ଖଟରେ ସିଏ ଜନ୍ମ ହୋଇଥିଲେ), ଜନ୍ମଜାତକ ସହିତ ତାଙ୍କ ବାପାମା’ଙ୍କର ଫଟୋକୁ ସ୍ଥାନ ଦିଆଯାଇଛି। ପ୍ରତିବର୍ଷ ନେତାଜୀ ଜୟନ୍ତୀ ଅବସରରେ ଏହି ପ୍ରକୋଷ୍ଠରେ ହୋମଯଜ୍ଞର ବ୍ୟବସ୍ଥା କରାଯାଇଥାଏ। ସେହିପରି ଦଶମ ଗ୍ୟାଲେରିଟି ନେତାଜୀଙ୍କର ଆଧ୍ୟାତ୍ମିକ ଜୀବନୀ ସମ୍ବନ୍ଧୀୟ ଅନେକ ତଥ୍ୟ ପ୍ରଦାନ କରିବା ସହିତ ତାଙ୍କର ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ ଓ ପ୍ରତ୍ୟକ୍ଷ ଗୁରୁ ଶ୍ରୀରାମଦାସ ବାବାଜୀ ମହାରାଜଙ୍କ ଫଟୋକୁ ସ୍ଥାନ ଦିଆଯାଇଛି। ଏକାଦଶ ଗ୍ୟାଲେରିରେ ରହିଛି ନେତାଜୀ ଓ ତାଙ୍କ ପରିବାର ସଦସ୍ୟଙ୍କର ବିଭିନ୍ନ ଫଟୋ।
ଏଥିସହିତ ନେତାଜୀ ବ୍ୟବହାର କରୁଥିବା ଖଟ, ଶ୍ରୀମଦ୍ଭଗବଦ୍ ଗୀତା, ତୁଳସୀ ମାଳି ଓ କିଛି ପୂଜା ସାମଗ୍ରୀକୁ ମଧ୍ୟ ଏଠାରେ ରଖାଯାଇଛି। ଦ୍ବାଦଶ ଗ୍ୟାଲେରିରେ ନେତାଜୀଙ୍କର କିଛି ଘରୋଇ ଉପକରଣ ସହିତ ତାଙ୍କର କେତୋଟି ହାତଲେଖା ଚିଠିକୁ ସାଇତା ରଖାଯାଇଛି। ତା’ ସହିତ ଓଡ଼ିଶା ଓ ଓଡ଼ିଶା ସ୍ବାଧୀନତା ସଂଗ୍ରାମୀଙ୍କ ସହ ତାଙ୍କର କିଭଳି ସମ୍ପର୍କ ଥିଲା, ସେ ଉପରେ ଅନେକ ତଥ୍ୟ ଓ ଫଟୋକୁ ମଧ୍ୟ ଏଠାରେ ସ୍ଥାନିତ କରାଯାଇଛି। ଏଥିସହିତ ସଂଗ୍ରହାଳୟ ପରିସରରେ ଏକ ପାଠାଗାର ବି ଅଛି, ଯେଉଁଠାରେ ନେତାଜୀଙ୍କ ଜୀବନୀ, କାର୍ଯ୍ୟକଳାପ ଓ ସ୍ବାଧୀନତା ସଂଗ୍ରାମ ସମ୍ପର୍କିତ ପ୍ରାୟ ୫୦୦ ପୁସ୍ତକ ରହିଛି। ସେହିପରି ସଂଗ୍ରହାଳୟ ପରିସରରେ ଥିବା ଘୋଡ଼ାଶାଳ ଓ ଘୋଡ଼ା ଏବଂ ଘୋଡ଼ାଗାଡିର ଫାଇବର୍ ପ୍ରତିକୃତି ବେଶ୍ ଆକର୍ଷଣୀୟ ଲାଗିଥାଏ। ଏଥିସହିତ ଏହି ସଂଗ୍ରହାଳୟରେ ରହିଛି ଏକ କନ୍ଫରେନ୍ସ ହଲ୍ ଓ ମଲ୍ଟିମିଡିଆ ରୁମ୍ (ଯେଉଁଠାରେ ନେତାଜୀଙ୍କ ଜୀବନୀ ଉପରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ୪୫ମିନିଟ୍୍ର ଡକ୍ୟୁମେଣ୍ଟାରି ଫିଲ୍ମକୁ ପର୍ଯ୍ୟଟକ ଦେଖିପାରିବେ)। ତା’ଛଡ଼ା ନେତାଜୀ ଉଦ୍ୟାନକୁ ଭଲ ପାଉଥିବାରୁ ଉକ୍ତ ସଂଗ୍ରହାଳୟ ପରିସରରେ ଏକ ସୁନ୍ଦର ଉଦ୍ୟାନ ମଧ୍ୟ କରାଯାଇଛି। ସେହିପରି ଜାନକୀନାଥ ବୋଷଙ୍କ ଦ୍ୱାରା ନିର୍ମିତ ଦୁର୍ଗା ମନ୍ଦିରର ରକ୍ଷଣାବେକ୍ଷଣ ସହ ସଂଗ୍ରହାଳୟ ତରଫରୁ ଏବେ ଏହାର ବିବରଣୀ ମଧ୍ୟ ପ୍ରଦାନ କରାଯାଉଛି। ତେବେ ଏହି ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ କରିବା ପାଇଁ ଟିକେଟ୍ର ମୂଲ୍ୟ ୧୦ ଟଙ୍କା ରଖାଯାଇଛି। ହେଲେ ବିଦେଶୀ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଶୁଳ୍କ ୨୦ ଟଙ୍କା। ସେହିପରି ସୋମବାର ଓ ସରକାରୀ ଛୁଟିଦିନ ବ୍ୟତୀତ ବାକି ଦିନରେ ସଂଗ୍ରହାଳୟଟି ସକାଳ ୧୦ରୁ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୨ଟାରୁ ୪.୩୦ ଯାଏଁ ପର୍ଯ୍ୟଟକଙ୍କ ଭ୍ରମଣ ନିମିତ୍ତ ଖୋଲା ରହିଥାଏ। ତା’ଛଡ଼ା ଟିକେଟ୍ କାଉଣ୍ଟରକୁ ଲାଗି ଏକ ସୋଭେନିୟର୍ କାଉଣ୍ଟର ବି ରହିଛି, ଯେଉଁଠାରୁ ପର୍ଯ୍ୟଟକ ନେତାଜୀଙ୍କ ସମ୍ପର୍କିତ ବିଭିନ୍ନ ସାମଗ୍ରୀ କିଣିପାରିବେ।
ମୁସ୍ତାକଙ୍କ ସଂଗ୍ରହାଳୟରେ ନେତାଜୀଙ୍କ ସ୍ମାରକୀ
କେନ୍ଦ୍ରାପଡାର ଫକିରାବାଦ୍ରେ ସେକ୍ ମୁସ୍ତାକଙ୍କ ଘର। ପେସାରେ ସେ ଜଣେ ଓକିଲ। ହେଲେ ନିଶା ତାଙ୍କର ବିଭିନ୍ନ ପୁରୁଣା ସ୍ମୃତିକୁ ସାଉଁଟି ନିଜ ପାଖେ ସାଇତି ରଖିବା। ଆଉ ଏହି ଇଚ୍ଛା ଶକ୍ତି ପାଇଁ ସେ ସୃଷ୍ଟି କରିପାରିଛନ୍ତି ଏକ ଘରୋଇ ସଂଗ୍ରହାଳୟ। ଯେଉଁ ସଂଗ୍ରହାଳୟରେ ସାଇତି ହୋଇ ରହିଛି ଅନେକ ବିରଳ ଜିନିଷ। ଖାସ୍କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ୫୫ ବର୍ଷୀୟ ମୁସ୍ତାକଙ୍କ ଏହି ସଂଗ୍ରହାଳୟରେ ଦେଖିବାକୁ ମିଳିଥାଏ ନେତାଜୀଙ୍କର ବହୁ ସ୍ମାରକୀ, ଫଟୋ, ହାତଲେଖା ଚିଠି, ନେତାଜୀଙ୍କ ଭାଷଣଠାରୁ ଆରମ୍ଭ କରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନ୍ୟୁଜ୍ କ୍ଲିପିଙ୍ଗ୍ସ। ସେହିପରି ଏଠାରେ ରହିଛି ୧୯୧୦ ମସିହାରେ ଓଡ଼ିଶାରେ କଲେରା ରୋଗରୁ ନିବୃତ୍ତ ପାଇଁ ନେତାଜୀ ବ୍ୟବହାର କରିଥିବା ବ୍ଲିଚିଂ ପାଉଡର ବାକ୍ସ, ଯାହା ପୁରୁଣା ସ୍ମୃତିକୁ ନିଶ୍ଚିତ ଭାବେ ଉଜ୍ଜୀବିତ କରିବାରେ ନିଶ୍ଚୟ ସହାୟକ ହେବ। କେବଳ ସେତିକି ନୁହେଁ, ୧୯୧୩ ମସିହାରେ ନେତାଜୀ ଏଣ୍ଟ୍ରାନ୍ସ ପାସ୍ କରିଥିବାର ବିହାର- ଓଡ଼ିଶାର ଗେଜେଟ୍ ନୋଟିଫିକେସନ୍ ବି ଏଠାରେ ସାଇତା ହୋଇ ହୋଇଛି। ସେହିପରି ଇଣ୍ଡିଆନ୍ ନ୍ୟାଶନାଲ ଆର୍ମି (ଆଇଏନ୍ଏ)ର ଅଫିସର୍ କ୍ୟାପ୍ଟେନ୍ ଲକ୍ଷ୍ମୀ ସେହଗଲଙ୍କ ନିକଟକୁ ନେତାଜୀ ଲେଖିଥିବା ହାତଲେଖା ଚିଠି ବି ଏଠାରେ ସାଇତା ହୋଇ ରହିଛି। ୧୯୪୨ ମସିହାର ପୋଷ୍ଟାଲ ଷ୍ଟାମ୍ପ ସହିତ ବଙ୍ଗଳାର ବସୁମତି ମାଗାଜିନ୍ ମଧ୍ୟ ଏହି ସଂଗ୍ରହାଳୟରେ ରହିଛି, ଯେଉଁ ମାଗାଜିନ୍ରେ ନେତାଜୀଙ୍କର ପ୍ରାୟ ୭୫ରୁ ଊର୍ଦ୍ଧ୍ୱ ଫଟୋ ସ୍ଥାନିତ ହୋଇଛି ା ଖାସ୍କରି ଏଠାରେ ଥିବା ଆଇଏନ୍ଏ ସୈନିକଙ୍କ ଫଟୋ ସହିତ ଲକ୍ଷ୍ମୀ ସେହଗଲ ଓ ନେତାଜୀଙ୍କ ବିରଳ ଫଟୋ ବହୁ ଗବେଷକଙ୍କୁ ଆକର୍ଷିତ କରିଥାଏ। ଅନ୍ୟପକ୍ଷେ ନେତାଜୀଙ୍କ ଜନ୍ମ ଶତବାର୍ଷିକୀ ୧୯୯୭ରେ ପାଳନ ହୋଇଥିଲେ ହେଁ, ଏହି ମହାନ୍ ବ୍ୟକ୍ତିତ୍ୱଙ୍କର ଜନ୍ମ ଶତବାର୍ଷିକୀକୁ ନେଇ ସେତେବେଳେ ପ୍ରଚଳିତ ହୋଇଥିବା ତ୍ରୁଟିପୂର୍ଣ୍ଣ ମୁଦ୍ରାକୁ ମଧ୍ୟ ମୁସ୍ତାକ ତାଙ୍କ ସଂଗ୍ରହାଳୟରେ ସାଇତି ରଖିଛନ୍ତି।
ଏ ନେଇ ମୁସ୍ତାକ କହନ୍ତି, ”ମୋତେ ବିରଳ ଜିନିଷକୁ ଖୋଜିବା ଆଉ ତାକୁ ସାଇତି ରଖିବାକୁ ବହୁତ ଭଲ ଲାଗେ। ନିଜ ଚେଷ୍ଟାରେ ବିଭିନ୍ନ ସ୍ଥାନ ବୁଲି କିଛି ଜିନିଷ ସଂଗ୍ରହ କରିଛି ଆଉ କିଛି ଜିନିଷକୁ ସଂଗ୍ରହ କରିବାରେ କେତେକ ବ୍ୟକ୍ତି ମୋତେ ସାହାଯ୍ୟ କରିଛନ୍ତି। ଏଇ ଯେମିତି ଜଣେ ବ୍ୟକ୍ତି ହେଲେ ଯାଜପୁର ଜିଲା କୋରେଇ ଗ୍ରାମର ଅବଦୁଲ ହମିଦ ହଜାରୀ। ହଜାରୀଙ୍କ ଜେଜେ ରେଭେନ୍ସା କଲିଜିଏଟ୍ ସ୍କୁଲ୍ରେ ପଢ଼ିଲାବେଳେ ନେତାଜୀଙ୍କ ସହିତ ଅନ୍ତରଙ୍ଗ ଥିଲେ। ଆଉ ସେ ହିଁ ହଜାରୀଙ୍କୁ ଆଣି ନେତାଜୀଙ୍କ ବ୍ୟବହୃତ ହୋମିଓପାଥି ବାକ୍ସ, ମୁଗୁନି ଗ୍ଲାସ୍ ଓ ବହୁ ବିରଳ ଫଟୋ ଦେଇଥିଲେ। ଆଉ ଆଜକୁ ପ୍ରାୟ ୧୫ ବର୍ଷ ତଳେ ହଜାରୀ ନେତାଜୀଙ୍କର ସେହି ସବୁ ସ୍ମୃତିକୁ ଆଣି ମୋର ଏହି ସଂଗ୍ରହାଳୟକୁ ଦାନ କରି ଯାଇଥିଲେ, ତେଣୁ ମୁଁ ସେମାନଙ୍କ ନିକଟରେ ଚିର କୃତଜ୍ଞ।“ ସେହିପରି ସଂଗ୍ରହାଳୟ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ମାନେ କୁହନ୍ତି, ନେତାଜୀଙ୍କ ସମ୍ପର୍କରେ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ଏଠାରେ ରହିଛି। ତା’ ସହିତ ଏଠାରେ ଥିବା ନେତାଜୀଙ୍କ ଭାଷଣର ରେକର୍ଡ ବି ଯେ କୌଣସି ସାଧାରଣ ଲୋକଙ୍କୁ ଆକର୍ଷିତ କରିପାରିବ। ତେବେ ଛୋଟ ବଖୁରିଆ ଘରେ ଗଢ଼ି ଉଠିଥିବା ଏହି ସଂଗ୍ରହାଳୟରେ କିନ୍ତୁ ଭରି ରହିଛି ବହୁ ଅନନ୍ୟ ସ୍ମୃତି, ଯେଉଁଠାକୁ ଅନେକ ସମୟରେ ଗବେଷଣା ନିମନ୍ତେ ବହୁ ଲୋକ ଆସିଥାଆନ୍ତି। ତେଣୁ ଏବେ ଏହି ବିରଳ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ନିମନ୍ତେ ପ୍ରଶସ୍ଥ ସ୍ଥାନର ଆବଶ୍ୟକତା ରହିଛି। ଯଦି ଏଥିପ୍ରତି ପ୍ରଶାସନ ପକ୍ଷରୁ ଟିକେ ଦୃଷ୍ଟି ଦିଆଯାଇପାରନ୍ତା, ତା’ହେଲେ ନେତାଜୀଙ୍କ ଏହି ସ୍ମୃତି ସଂଗ୍ରହାଳୟର ଆଉ ଟିକେ ପ୍ରଚାରପ୍ରସାର ହୋଇପାରନ୍ତା।
ନେତାଜୀ ସଂଗ୍ରହାଳୟ, ପୁରୀ
ପୁରୀ ଗୋପାଳବଲ୍ଲଭ ରୋଡ୍ରେ ବି ରହିଛି ନେତାଜୀଙ୍କର ଏକ ସଂଗ୍ରହାଳୟ। ନେତାଜୀଙ୍କର ବାଲ୍ୟଜୀବନରୁ ଆରମ୍ଭ କରି କୈଶୋରାବସ୍ଥା ଏପରି କି ଆଜାଦ୍ ହିନ୍ଦ୍ ଫୌଜ୍ରେ ତାଙ୍କର ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ଅନେକ ଫଟୋ ଓ ତଥ୍ୟକୁ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି। ଏଥିସହିତ ନେତାଜୀ ବ୍ୟବହାର କରିଥିବା ଖଟ ଓ କିଛି ପୋଷାକ ମଧ୍ୟ ଏଠାରେ ରହିଛି। ସଂଗ୍ରହାଳୟଟି ନେତାଜୀ ମ୍ୟୁଜିୟମ୍ ଟ୍ରଷ୍ଟ, ପୁରୀ ଦ୍ୱାରା ପରିଚାଳିତ; ଯାହାର ସେକ୍ରେଟାରୀ ଦାୟିତ୍ୱରେ ଏବେ ଅଛନ୍ତି ପୁରୀ ଡିଷ୍ଟ୍ରିକ୍ଟ କଲଚର୍ ଅଫିସର୍ ଅରବିନ୍ଦ ଦାସ। ସେ କୁହନ୍ତି, ଏହି ସଂଗ୍ରହାଳୟଟି ୨୦୧୯ରେ ସର୍ବସାଧାରଣଙ୍କ ଭ୍ରମଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଖୋଲାଯାଇଥିଲା। ସୋମବାର ତଥା ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ଏହି ସଂଗ୍ରହାଳୟଟି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟାଯାଏ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲା ଯାଉଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏବେ ଏହି ସଂଗ୍ରହାଳୟଟି ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଏହାକୁ ପୁନର୍ବାର ଖୋଲିବା ପାଇଁ ଆମେ ପ୍ରସ୍ତୁତ ହେବୁ।
ଓଡ଼ିଶା ବାହାରେ ସଂଗ୍ରହାଳୟ
ନେତାଜୀଙ୍କ ସ୍ମୃତିରେ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ରହିଛି ଅନେକ ସଂଗ୍ରହାଳୟ। ଏଇ ଯେମିତି କୋଲକାତାସ୍ଥିତ ନେତାଜୀ ଭବନ। ଏହି ଭବନକୁ ୧୯୦୯ ମସିହାରେ ନେତାଜୀଙ୍କ ପିତା ନିର୍ମାଣ କରିଥିଲେ, ଯାହା ବର୍ତ୍ତମାନ ଏକ ସଂଗ୍ରହାଳୟ ଭାବେ ପରିଚିତ। ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେତାଜୀ ରିସର୍ଚ୍ଚ ବ୍ୟୁରୋ ବୁଝୁଛି। ଏଠାରେ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଅନେକ ଡକ୍ୟୁମେଣ୍ଟ୍ସ, ଫଟୋଗ୍ରାଫ୍ସ ସହିତ ନେତାଜୀଙ୍କ ଦ୍ବାରା ବ୍ୟବହୃତ କିଛି ଆସବାବପତ୍ର ତଥା ପୋଷାକ ଇତ୍ୟାଦିକୁ ସାଇତି ରଖାଯାଇଛି। ଉକ୍ତ ଭବନ ମଧ୍ୟରେ ଏକ ପାଠାଗାର ବି ରହିଛି। ସେହିପରି ଦିଲ୍ଲୀର ଲାଲ୍କିଲ୍ଲା, ପଶ୍ଚିମବଙ୍ଗର କୁର୍ସେଓଙ୍ଗ ଏବଂ ମଣିପୁରର ମୋଇରାଙ୍ଗଠାରେ ବି ଆଜାଦ୍ ହିନ୍ଦ୍ ଫୌଜ ଓ ନେତାଜୀଙ୍କ ସ୍ମୃତିରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ତେବେ କେବଳ ଓଡ଼ିଶା କି ଭାରତ ନୁହେଁ, ଏହି ବୀର ପୁରୁଷଙ୍କର ଅନେକ ସ୍ମାରକୀକୁ ବିଦେଶରେ ଥିବା ବହୁ ସଂଗ୍ରହାଳୟରେ ମଧ୍ୟ ସ୍ଥାନ ଦିଆଯାଇଛି।