ନୂୂଆଦିଲ୍ଲୀ : ଉତ୍ତରାଖଣ୍ଡର ହଲ୍ଦ୍ୱାନିରେ ରେଳବାଇ ଜମିରୁ ୫୦ ହଜାର ଲୋକଙ୍କୁ ହଟାଇବାକୁ ନେଇ ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଗୁରୁବାର ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି । ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି, ଏତେ ସଂଖ୍ୟକ ଲୋକ ଦୀର୍ଘଦିନ ଧରି ସେଠାରେ ରହିଆସୁଥିବାରୁ ସେମାନଙ୍କ ପୁନର୍ବାସ ନିହାତି ଆବଶ୍ୟକ । ସାତଦିନ ମଧ୍ୟରେ ଏହି ଲୋକମାନେ ଜମି କିପରି ଖାଲି କରିବେ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇ ସୁପ୍ରିମ୍କୋର୍ଟ କହିଛନ୍ତି, ୫୦ ହଜାର ଲୋକଙ୍କୁ ରାତାରାତି ବେଘର କରାଯାଇପାରିବ ନାହିଁ । ସେହିପରି ବୋଲି କୋର୍ଟ କହିଛନ୍ତି ଏବେ ସେହି ଜମି ଉପରେ କୌଣସି ନିର୍ମାଣ କିମ୍ବା ବିକାଶ କାର୍ଯ୍ୟ ହୋଇପାରିବ ନାହିଁ । ଆମେ ପୂରା ପ୍ରକ୍ରିୟା ଉପରେ ରୋକ୍ ଲଗାଇ ନାହୁଁ । କେବଳ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛୁ । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୭ ତାରିଖରେ ହେବ । ଉତ୍ତରାଖଣ୍ଡ ହାଇକୋର୍ଟ ରେଳବାଇର ୨୯ ଏକର ଜମିରେ ଅବୈଧ କବ୍ଜାକୁ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ସେଠାରେ ପ୍ରାୟ ୪ ହଜାର ପରିବାର ବସବାସ କରୁଛନ୍ତି । ସୁପ୍ରିମ୍କୋର୍ଟଙ୍କ ରୋକ୍ ପରେ ସେଠାରେ ବସବାସ କରୁଥିବା ପରିବାର ଖୁସିରେ ମିଠାଇ ବାଣ୍ଟିଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ତାହା ରେଳବାଇର ଜମି । ରେଳ ବିଭାଗର ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ମୋକଦ୍ଦମା ଚାଲିଥିଲା । ଆମେ ପୂର୍ବରୁ କହିଛୁ କୋର୍ଟର ଆଦେଶ ଯାହା ବି ହେବ ସେହି ଅନୁସାରେ ପରବର୍ତ୍ତୀ କାର୍ଯ୍ୟ କରିବୁ । ମାମଲାରେ ଗୁରୁତ୍ୱକୁ ନେଇ କୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ । କୋର୍ଟ କହିଛନ୍ତି, ରେଳବାଇ ଜମିର ବ୍ୟବହାରକୁ ଦୃଷ୍ଟିରେ ରଖି ଜମି ଉପରେ କେଉଁ କେଉଁମାନଙ୍କର ଅଧିକାର ନାହିଁ ଏବଂ କେଉଁମାନଙ୍କୁ ପୁନର୍ବାସର ଆବଶ୍ୟକତା ରହିଛି । ଦଶନ୍ଧ ଦଶନ୍ଧି ଧରି ସେଠାରେ ରହୁଥିବା ଲୋକଙ୍କୁ ହଟାଇବା ପାଇଁ ଅର୍ଦ୍ଧସୈନିକ ବଳଙ୍କୁ ମୁତୟନ କରିବାକୁ ହେବ କହିବା ଠିକ୍ ହେବନାହିଁ ବୋଲି କୋର୍ଟ କହିଛନ୍ତି । ଅସଲରେ ହଲ୍ଦ୍ୱାନିର ବନଭୁଲପୁରା ଅଞ୍ଚଳରେ ରେଳବାଇର ୨୯ ଏକର ଜମି ରହିଛି । ଏହି ଜମି ଉପରେ ବହୁ ବର୍ଷ ର୍ପୂେବ କେତେକ ଲୋକ କଚ୍ଚାଘର ନିର୍ମାଣ କରିଥିଲେ । ଧୀରେ ଧୀରେ ସେଠାରେ ପକ୍କାଘର ନିର୍ମାଣ ହେବା ସହିତ ଅନେକ ବସ୍ତି ସ୍ଥାପନ ହୋଇଥିଲା । ନୈନିତାଲ ହାଇକୋର୍ଟ ଏହି ବସ୍ତିରେ ରହୁଥିବା ଲୋକଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରେଳ ବିଭାଗ ପକ୍ଷରୁ ସମାଚାରପତ୍ରରେ ନୋଟିସ୍ କରିକରି ଅତିକ୍ରମଣ କରିଥିବା ଲୋକଙ୍କୁ ଏକ ସପ୍ତାହ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୯ ସୁଦ୍ଧା କବ୍ଜା ହଟାଇବାକୁ କହିଥିଲେ । ଏପରି ନକଲେ ବୁଲ୍ଡୋଜର୍ ଲଗାଇ ଘର ଭଙ୍ଗାଯିବ ବୋଲି ରେଳବାଇ ଓ ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଥିଲେ । ଏହାପରେ ଲୋକମାନେ ଆନ୍ଦୋଳନ ଆରମ୍ଭ କରିଥିଷଲ ।