ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି ଓ ଆଗକୁ ଏହାର ମୁକାବିଲା ପାଇଁ ସୋମବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ । ଚୀନରେ ନୂଆ କୋଭିଡ୍ ଭାରିଆଣ୍ଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନପ୍ଲାନ ପ୍ରସ୍ତୁତ ହେବ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ମେଣ୍ଟ ଉପରେ ଫୋକସ୍ ରହିବ । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇପାରେ ବୋଲି ସୂଚନା ମିଳିଛି । ଅପରାହ୍ଣ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ବୈଠକ ନେବେ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ । ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ । ସଂକ୍ରମଣ ଆଶଙ୍କା ଏଡ଼ାଇବା ସହ ସର୍ଭେଲାନ୍ସକୁ ଜୋର୍ଦାର୍ କରିବା, ଅକ୍ସିଜେନ୍ ଓ ହସ୍ପିଟାଲ ଶଯ୍ୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜିନମ ସିକ୍ୱେନ୍ସିଂ ବଢ଼ାଇବା ଉପରେ ମଧ୍ୟ ଆଲୋଚନା ହୋଇପାରେ ।