ମୁମ୍ବାଇ: ମୁମ୍ବାଇ ପୁଲିସ ୩୦ ବର୍ଷ ପରେ ସହରରେ ହୋଇଥିବା ଦଙ୍ଗାର ଅଭିଯୁକ୍ତ ତବ୍ରେଜ୍ ଅଜିମ୍ ଖାନ୍କୁ ଗିରଫ କରିଛି । ୨୦୦୪ରେ କୋର୍ଟ ଦ୍ୱାରା ପଳାତକ ଘୋଷିତ ଜବ୍ରେଜ୍କୁ ଶନିବାର ପୁଲିସ ଟିମ୍ ଗୋରୋଗାଓଁରୁ ଗିରଫ କରିଛି । ସେଠାରେ ସେ ନାମ ବଦଳାଇ ରହୁଥିଲା । ୧୯୯୨ ଡିସେମ୍ବରରୁ ୧୯୯୩ ଜାନୁଆରୀ ମଧ୍ୟରେ ମୁମ୍ବାଇରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା । ଏଥିରେ ପ୍ରାୟ ୯୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଦଙ୍ଗାକାରୀ ବ୍ୟକ୍ତିଗତ ଏବଂ ସରକାରୀ ସମ୍ପତ୍ତିର ଜୋର୍ଦାର କ୍ଷତି କରିଥିଲେ । ଏହି ଦଙ୍ଗା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବାବ୍ରୀ ମସ୍ଜିଦ୍ ଧ୍ୱଂସ ପରେ ଆରମ୍ଭ ହୋଇଥିଲା । ଏହି ମାମଲାରେ ପୁଲିସ ୯ ଜଣଙ୍କ ବିରୋଧରେ କେସ୍ ରୁଜୁ କରିଥିଲା ।
ଏଥିରେ ତବ୍ରେଜ୍ ଓରଫ୍ ମନ୍ସୁରୀ ମଧ୍ୟ ସାମିଲ ଥିଲା । ସେତେବେଳେ ତବ୍ରେଜ୍ର ବୟସ ୧୭ ବର୍ଷ ଥିଲା । ପୁଲିସ ଯେଉଁ ୯ ଲୋକଙ୍କ ବିରୋଧରେ କେସ୍ କରିଥିଲା, ସେମାନଙ୍କ ମଧ୍ୟରୁ କୋର୍ଟ ଦୁଇଜଣଙ୍କୁ ଖଲାସ କରିଦେଇଥିବା ବେଳେ ଜଣକର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ପୁଲିସ ତବ୍ରେଜ୍କୁ ଗିରଫ କରିପାରି ନଥିଲା । ୨୦୦୪ରେ କୋର୍ଟ ତାକୁ ପଳାତକ ଘୋଷଣା କରି ୱାରେଣ୍ଟ ଜାରି କରିଥିଲେ । ସେବେଠାରୁ ପୁଲିସ ତାକୁ ଖୋଜୁଥିଲା । ତବ୍ରେଜ୍ ନିଜ ପରିଚୟ ବଦଳାଇ ଗୋରେଗାଓଁରେ ରହୁଥିବା ନିକଟରେ ପୁଲିସକୁ ଏକ ସୂତ୍ରରୁ ସୂଚନା ମିଳିଥିଲା । ଶନିବାର ପୁଲିସ ଟିମ୍ ଦିଣ୍ଡୋସି ବସ୍ ଡିପୋ ନିକଟରୁ ତବ୍ରେଜ୍କୁ ଗିରଫ କରିଥିଲା ।