ଦେବଗଡ଼: ରିଆମାଳ ଥାନା ଅନ୍ତର୍ଗତ ବିଲେଇଘଟି ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାପାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରିଆମାଳ – ଅନୁଗୁଳ ରାସ୍ତା ଉଭୟ ପଟେ ଶହଶହ ଯାନବାହାନ ଅଟକି ରହିଥିଲା । ସେପଟେ ଟ୍ରକ ଚାଳକ ଫେରାର ଉଦ୍ୟମ କରୁଥିବା ବେଳେ ତେଲିମୁଣ୍ଡା ନିକଟରେ ରିଆମାଳ ଥାନା ପୁଲିସ ଗାଡିକୁ କାବୁ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ନାକଟିଦେଉଳ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମର ରାଜେଶ ବାର୍ଲାଙ୍କ ଝିଅ ପ୍ରିୟଙ୍କା ବାର୍ଲା (୨୦) ଆଜି ନିଜ ମାମୁଁଙ୍କ ସହ ବସନ୍ତପୁର ଗ୍ରାମରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବିଲେଇଘଟି ଛକ ନିକଟରେ ଏକ ଟ୍ରକ ବାଇକ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଉଭୟ ମାମୁଁ-ଭାଣିଜୀ ରାସ୍ତାକୁ ଛିଟିକି ପଡିଥିଲେ । ତେବେ ଘଟଣାସ୍ଥଳରେ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ତେବେ ଥାନା ଅଧିକାରୀ ଲଳିତା ପ୍ରଧାନ ଉତ୍ୟକ୍ତ ଲୋକଙ୍କୁ ବହୁ ବୁଝାସୁଝା ପରେ ରାସ୍ତା ରୋକ ପ୍ରତ୍ୟହୃତ ହୋଇଥିଲା । ମୃତ ଶରୀରକୁ ବ୍ୟବଛେଦ ପାଇଁ ପୁଲିସ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ରିଆମାଳ ପୁଲିସ ଠାରୁ ସୂଚନା ମିଳିଛି ।