ଟି-୨୦ ବିଶ୍ୱକପ-୨୦୨୨ରେ ଟିମ ଇଂଲଣ୍ଡର ଯାତ୍ରା ଖୁବ ସୁନ୍ଦର ରହିଛି । ଫାଇନାଲ ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇ ଟ୍ରଫିକୁ ନିଜ ନାମରେ କରି ନେଇଛି ଇଂଲଣ୍ଡ । ତେବେ ବିଶ୍ୱବିଜେତା ହେବା ଦଳ ପକ୍ଷେ ସେତେଟା ସହଜ ନଥିଲା । ହାର-ଜିତରେ ଭରା ଏହି ଯାତ୍ରା ଶେଷରେ ଇଂଲଣ୍ଡ ଦଳକୁ ଦେଇଛି ନିଆରା ଅନୁଭୂତି । ଏହା ସହିତ ପ୍ରଥମ ଦଳ ଭାବରେ ଦିନିକିଆ ଏବଂ ଟି-୨୦ ବିଶ୍ୱକପକୁ ନିଜ ପାଖରେ ରଖିଥିବା ଦଳ ପାଲଟି ଯାଇଛି ବଟଲରଙ୍କ ଟିମ୍ ।
ନଭେମ୍ବର ୧୩ ତାରିଖରେ ନୂଆ ବୋହୁ ପରି ସଜେଇ ହୋଇଥିଲା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ । କାରଣ ଏହି ଷ୍ଟାଡିୟମରେ ବିଶ୍ୱକପର ଶେଷ ଅଧ୍ୟାୟ ଖୋଯିବାର ଥିଲା । ଯେଉଥିରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଏବଂ ପାକିସ୍ତାନ । ଫାଇନାଲରେ ପହଞ୍ଚିବା ପୂର୍ବରୁ ପାକିସ୍ତାନକୁ ଭାରତ ଏବଂ ଇଂଲଣ୍ଡକୁ ଆୟରଲାଣ୍ଡ ଦଳ ବିପକ୍ଷରେ ପରାଜୟର ସାମନା କରିବାକୁ ପଡିଥିଲା । ଡିଏଲଏସ ନିୟମ ଅନୁଯାୟୀ ୫ ନରରେ ଏହି ମ୍ୟାଚକୁ କବଜା କରିଥିଲା ଆୟରଲାଣ୍ଡ । ଯେଉଁଥିପାଇଁ ଦିନିକିଆ ବିଶ୍ବକପ ବିଜେତା ଦଳ ଇଂଲଣ୍ଡକୁ ନାନା କଟୁ ଶବ୍ଦ ଶୁଣିବାକୁ ପଡିଥିଲା । ଏହାପରେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କାକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳାଯାଇ ପାରିନଥିଲା । କିନ୍ତୁ ସେମି ଫାଇନାଲରେ ଏଣ୍ଟ୍ରି କରି ନେଇଥିଲା ଇଂଲଣ୍ଡ । ଏହି ଯାତ୍ରାରେ ସବୁଠୁ ଶକ୍ତିଶାଳୀ ଦଳ ଭାରତକୁ ସେମିଫାଇନାଲରେ ଭେଟିଥିଲେ ଜୋସ ବଟଲର । କିନ୍ତୁ ରୋହିତ ବଟଲରଙ୍କ ଚାଲ ଆଗରେ ନିରସ୍ତ୍ର ହୋଇଯିବାରୁ ଏହି ମ୍ୟାଚରେ ବିଜୟୀ ହୋଇ ଫାଇନାଲକୁ ଜମ୍ପ କରିଥିଲା ଇଂଲଣ୍ଡ ।
ସେହିପରି ପାକିସ୍ତାନ ମଧ୍ୟ ସମାନ ପରିସ୍ଥିତିରେ ଫାଇନାଲରେ ପ୍ରବେଶ କରିଥିଲା । କେବଳ ଭାରତ ବ୍ୟତୀତ କୌଣସି ବି ଦଳ ପାକିସ୍ତାନକୁ ସେମି ଫାଇନାଲ ପର୍ଯ୍ୟନ୍ତ ହରାଇ ପାରି ନଥିଲା । ତେବେ ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ସାମନା କରିପାରିନଥିଲେ ବାବର ସେନା । ନେଦରଲାଣ୍ଡ, ସାଉଥ ଆଫ୍ରିକା ଏବଂ ବାଂଲାଦେଶ ଭଳି ଟିମକୁ ଚକମା ଦେଇ ସେମିରେ ଜାଗା ପାଇଥିଲା ପାକିସ୍ତାନ । ସେହିପରି ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ବି ୭ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଥିଲା ପାକ୍ ଟିମ୍ । କିନ୍ତୁ ପ୍ରକୃତ ଲଢେଇରେ ବାଜି ମାରି ନେଇଛନ୍ତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ।
ଫାଇନାଲରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ବାବରଙ୍କୁ ଆହ୍ୱାନ ଦେଇଥିଲେ ବଟଲର ।
ସାମ କରନଙ୍କ ଫିରକି ବୋଲିଂ ପାକିସ୍ତାନକୁ ବିଚଳିତ କରୁଥିବା ବେଳେ ଅନ୍ୟ ବୋଲର ମଧ୍ୟ ଦଳକୁ ବଡ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ । ଫଳରେ ମାତ୍ର ଇଂଲଣ୍ଡକୁ ୧୩୯ ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ । କିନ୍ତୁ ଟି-୨୦ ସୁପରଷ୍ଟାରଙ୍କୁ ନେଇ ଭରପୂର ଟିମ ଇଂଲଣ୍ଡ ଆଗରେ ଏହି ଲକ୍ଷ୍ୟ ଛୋଟ ଲାଗୁଥିଲା । ଯାହା ଶେଷରେ ପ୍ରମାଣ ବି ହୋଇଯାଇଛି । ବେନ ଷ୍ଟୋକ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ବଳରେ ଇଂଲଣ୍ଡ ଦିନିକିଆ ପରେ ଟି-ଟ୍ୱେଣ୍ଟି ଟ୍ରଫି ଉପରେ ବି କବଜା କରିଛି । ୱେଷ୍ଟ ଇଣ୍ଡିଜ ପରେ ଦ୍ୱିତୀୟ ଦଳ ଭାବରେ ଏହି ଉପଲବ୍ଧି ପାଇଛଇ ଇଂଲଣ୍ଡ ଦଳ । ।ବନ ଷ୍ଟୋକ୍ସ ଏହି ମ୍ୟାଚରେ ପ୍ଲେୟର ଅଫ୍ ଦ ମ୍ୟାଚ ହୋଇଥିବା ବେଳେ ସାରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ପାଇଁ ସାମ କରନଙ୍କୁ ମିଳିଛି ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଆୱାର୍ଡ ।