– ହୋଟେଲ୍ରେ ଅଶ୍ଳୀଳ ଫିଲ୍ମ ଶୁଟିଂ ଅଭିଯୋଗ
– ପୁନମ ପାଣ୍ଡେ ଓ ଶାର୍ଲିନ୍ ଚୋପ୍ରା ମଧ୍ୟ ସାମିଲ
ମୁମ୍ବାଇ: ପର୍ଣ୍ଣୋଗ୍ରାଫି କେସ୍ରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦାଙ୍କ ଅଡ଼ୁଆ ବଢ଼ିପାରେ । ମୁମ୍ବାଇ ନିକଟବର୍ତ୍ତୀ ଦୁଇଟି ଫାଇଭ୍ ଷ୍ଟାର୍ ହୋଟେଲ୍ରେ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ଶୁଟିଂ କରିଥିବା ମୁମ୍ବାଇ ସାଇବର୍ ସେଲ୍ ଏକ ନୂଆ ଚାର୍ଜଶିଟ୍ରେ ଦାବି କରିଛି । କୁନ୍ଦା ଏହି ଫିଲ୍ମକୁ ଓଟିଟି ପ୍ଲାଟ୍ଫର୍ମରେ ବିକି ମୋଟା ଅର୍ଥ ଆୟ କରିଛନ୍ତି । ସାଇବର୍ ସେଲ୍ ଗତ ସପ୍ତାହର ଶୁକ୍ରବାର ମୁମ୍ବାଇର ଏକ କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରିଛି । ଏଥିରେ ମଡେଲ୍ ପୁନମ ପାଣ୍ଡୋ, ଶାର୍ଲିନ୍ ଚୋପ୍ରା ଏବଂ ଫିଲ୍ମମେକର୍ ମୀତା ଝୁନ୍ଝୁନ୍ୱାଲାଙ୍କ ସମେତ କ୍ୟାମେରାମ୍ୟାନ୍ ରାଜୁ ଦୁବେଙ୍କ ନାମ ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟ ପର୍ଣ୍ଣୋଗ୍ରାଫି କେସ୍ରେ କୁନ୍ଦ୍ରା ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ୬୩ ଦିନ ରହିଥିଲେ ।
ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କୁ ସେସନ୍ସ କୋର୍ଟରୁ ଜାମିନ ମିଳିଥିଲା । ୪୫୦ ପୃଷ୍ଠାର ଚାର୍ଜଶିଟ୍ରେ ବନାନା ପ୍ରାଇମ୍ ଓଟିଟିର ସୁବାଜିତ ଚୌଧୁରୀ ଏବଂ କୁନ୍ଦ୍ରାଙ୍କ ଜଣେ ଷ୍ଟାଫ୍ ଉମେଶ କାମଥ୍ ୱେବ୍ ସିରିଜ୍ ‘ପ୍ରେମ ପାଗଳାଣୀ’ ଅନ୍ଲାଇନ୍ ପ୍ଲାଟ୍ଫମରେ ଅପ୍ଲୋଡ୍ କରିଥିବା ସାଇବର୍ ସେଲ୍ ଅଭିଯୋଗ କରିଛି । ସେହିପରି ପୁନମ୍ ପାଣ୍ଡେ ନିଜର ମୋବାଇଲ୍ ଆପ୍ ‘ଦ ପୁନମ ପାଣ୍ଡେ’ ଡେଭେଲପ୍ କରିବା ସହ କୁନ୍ଦ୍ରାଙ୍କ କମ୍ପାନୀ ଆର୍ମ୍ସପ୍ରାଇମ୍ ସହିତ ବିଭିନେସ୍ ଏଗ୍ରୀମେଣ୍ଟ୍ କରି ଭିଡିଓ ଶୁଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସର୍କୁଲେଟ୍ ପାଇଁ ମଧ୍ୟ ଏହି କମ୍ପାନୀର ସହାୟତା ନେଇଥିଲେ ବୋଲି ସାଇବର୍ ସେଲ୍ ଦର୍ଶାଇଛି । ଏହା ବ୍ୟତୀତ କ୍ୟାମେରାମ୍ୟାନ୍ ରାଜୁ ଦୁବେ ଅଭିନେତ୍ରା ଶାର୍ଲିନ୍ ଚୋପ୍ରାଙ୍କ ଭିଡିଓ ଶୁଟ୍ କରିଥିବା ଅଭିଯୋଗ ହୋଇଛି । ପ୍ରଡ୍ୟୁସର ମୀତା ଝୁନ୍ଝୁନ୍ୱାଲା ଏମାନଙ୍କ ସହାୟତା କରିବା ସହ ଉସୁକାଇଥିବା ସାଇବଲ୍ ସେଲ୍ ଅଭିଯୋଗ କରିଛି । ଏହି ସମସ୍ତ ମାମଲାରେ ଆର୍ମ୍ସପ୍ରାଇମ୍ କମ୍ପାନୀକୁ ଅଭିଯୁକ୍ତମାନଙ୍କ ଠାରୁ ଅର୍ଥ ମିଳିଥିବାରୁ କମ୍ପାନୀ ଅପରାଧରେ ସହାୟତା କରିଛି ବୋଲି ଚାର୍ଜଶିଟ୍ରେ ଦର୍ଶାଯାଇଛି ।