ଭୁବନେଶ୍ୱର (ବିପିନ ସିଂହ): ବିଜୁ ଜନତା ଦଳ ( ବିଜେଡି)କୁ ବାରମ୍ବାର ଘାଇଲା କରିବାରେ ଲାଗିଛନ୍ତି ଦଳର ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ । ବିଭିନ୍ନ ସଭାସମିତିରେ ଖୋଲାଖୋଲି ଭାବେ ସେ ସରକାରଙ୍କୁ ଓ ଦଳର କାର୍ଯ୍ୟଧାରାକୁ ସମାଲୋଚନା କରି ଆସୁଥିବା ଦେଖାଯାଉଛି । ହେଲେ କେବେ ସିଧା ସଳଖ ଭାବରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିବା ଦେଖାଯାଇ ନ ଥିଲା । କିନ୍ତୁ ଏବେ ସେ କଟକଣାକୁ ହଟାଇ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିବାକୁ ମଧ୍ୟ ସେ ପଛାଉ ନାହାନ୍ତି । ଗୁରୁବାର ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଉତ୍ସବରେ ସୈାମ୍ୟ ରଞ୍ଜନ ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେବା ଅବସରରେ ନେତୃତ୍ୱ ସଙ୍କଟ ନେଇ ଦଳ ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଏବଂ ସର୍ବୋପରି ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ଘଟଣା ସେଠାରେ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବିଜେଡିରେ ଯେଉଁମାନେ ନେତା ଅଛନ୍ତି କି କର୍ମକର୍ତ୍ତ । ଅଛନ୍ତି ସେମାନଙ୍କ ଭିତରୁ ଜଣେ ଅଧେ କେହି ସରକାରଙ୍କ କାର୍ଯ୍ୟକୁ ନିନ୍ଦା କରିଥାଇ ପାରନ୍ତି କିନ୍ତୁ ନବୀନଙ୍କୁ ସିଧାସଳଖ କେହି ଟାର୍ଗେଟ କରୁଥିବା ଦେଖାଯାଏନି । ସମସ୍ତଙ୍କ ରାଗ ଅଫିସରଙ୍କ ଉପରେ ରହିଥାଏ । ହେଲେ ସୈାମ୍ୟରଞ୍ଜନ ଏଥର ସିଧାସଳଖ ଦଳ ସୁପ୍ରିମୋଙ୍କୁ ସମାଲୋଚନା କରିବା ସ୍ୱଭାବିକ ଭାବେ ସମସ୍ତଙ୍କୁ ତାଜୁବ କରିଛି ।
ଦଳ ଭିତରେ ବେଶ୍ କିଛି ଦିନ ହେଲା ସୈାମ୍ୟରଞ୍ଜନ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ବିଭିନ୍ନ ସମୟରେ ସଭାସମିତିରେ ସେ ବିଷୋଦଗାର କରି ଚାଲିଛନ୍ତି । ଏପରିକି ତାଙ୍କ ସମ୍ପାଦନାରେ ଚାଲିଥିବା ଖବରକାଗଜରେ ମଧ୍ୟ ସେ ସମ୍ପାଦକୀୟ ଲେଖି ବିଷୋଦଗାର କରିଛନ୍ତି । ହେଲେ ସବୁଥିରେ ସେ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ଆସନରେ ବସାଇ ଅନ୍ୟ ଅଧିକାରୀ ମାନଙ୍କୁ ସମାଲୋଚନା କରୁଥିଲେ । ହେଲେ ଗୁରୁବାର ବକ୍ସି ପାତ୍ରଙ୍କ ଜୟନ୍ତୀରେ ଭାଷଣ ଦେଲା ବେଳେ ସେ ଯେଭଳି ଭାବରେ ମତ ରଖିଲେ ତାହା ହିଁ ଏବେ ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନା ନେଇ ଉଦାହରଣ ଦେଇଥିଲେ । ହେଲେ ତାଙ୍କ ଭାଷଣର ଲକ୍ଷ୍ୟ ରହିଥିଲା ମୁଖ୍ୟତଃ ନବୀନଙ୍କ ଉପରେ । ସେ କହିଥିଲେ , ଗଣତନ୍ତ୍ରର ଏକ ମାତ୍ର ମୂଲ୍ୟବୋଧ ହେଲା ଭିନ୍ନମତକୁ ସମ୍ମାନ ଦେବା । କିନ୍ତୁ ଏ ପରମ୍ପରା ଧୀରେ ଧୀରେ ଆମ ସମାଜରୁ ହଜିଯାଉଛି । ଅନ୍ୟର ମତ ଶୁଣିବାର ଧୈର୍ଯ୍ୟ ନେତୃମଣ୍ଡଳୀଙ୍କ ପାଖରେ ନାହିଁ ।
ଆଜି ଆମେ ନେତୃତ୍ୱର ସଙ୍କଟ ଦେଇ ଗତି କରୁଛୁ । ନେତୃତ୍ୱର ବିକଳ୍ପ କଥା କହୁନାହିଁ, ଗଣତନ୍ତ୍ରରେ ନେତୃତ୍ୱର ଉତ୍ତର ଦାୟିତ୍ୱକୁ କିପରି ଅଙ୍ଗୀକାର ବଦ୍ଧ କରିବା ଆବଶ୍ୟକତା ରହିଛି ସେ ବିଷୟରେ କେହି ଆଲୋଚନା କରିବାକୁ ପ୍ରସ୍ତୁତ ହେଉନାହାନ୍ତି । ଆମ ନେତୃତ୍ୱ ୨ ବିଷୟରେ ଅସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁମାନେ ନେତା ହୋଇ ସାରିଛନ୍ତି ଆମର ପରପୀଢି କିପରି ନେତୃତ୍ୱ ନେବ ସେ ନେଇ କୈାଣସି କାର୍ଯ୍ୟକ୍ରମ କରାଯାଉ ନାହିଁ କିମ୍ବା ତା ଉପରେ ବିଶ୍ୱାସ ରଖାଯାଉନାହିଁ । ନେତୃତ୍ୱ ସୃଷ୍ଟି ହୁଏ ଆଗାମୀ ପୀଢିର ଯୁବକ ଓ ଛାତ୍ର ମାନଙ୍କୁ ନେଇ । ଆଗାମୀ ଦିନରେ ନେତୃତ୍ୱର ଏକ ବିରାଟ ସଙ୍କଟ ଦେଖାଦେବାକୁ ଯାଉଛି । ଯେଉଁ ନେତା ମାନେ ଆଜି ଏଠାରେ ଉପସ୍ଥିତ ରହିଛନ୍ତି ସେମାନେ ସମସ୍ତେ ଛାତ୍ର ନେତାରୁ ହିଁ ରାଜନୀତିକୁ ଆସିଛନ୍ତି । ଛାତ୍ର ନେତା ନ ହୋଇଥିଲେ ସେମାନଙ୍କ ଜୀବନ ଭିନ୍ନ ଗତି ଦେଇ ଯାଇଥାନ୍ତା । ଆମ ରାଜ୍ୟରେ କଲେଜରେ ଛାତ୍ର ନିର୍ବାଚନ କରିବାକୁ ଦେଉ ନାହାନ୍ତିା କେଉଁ ବିଚାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କୁ ଛାତ୍ର ନିର୍ବାଚନକୁ ବନ୍ଦ କରିଛନ୍ତି ତାହାର ପୁନଃବିଚାର କରନ୍ତୁ ବୋଲି କହିଛନ୍ତି ।
ଏଥିରେ ସେ ସ୍ପଷ୍ଟ ଭାବରେ ସୂଚାଇ ଦେଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ । କିନ୍ତୁ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ କୈାଣସି ପଦକ୍ଷେପ ନବୀନ ନେଉ ନାହାନ୍ତି କିମ୍ବା ସେ ଦିଗରେ ଉଦ୍ୟମ କରୁନାହାନ୍ତି । ଜଣେ ମୁଖ୍ୟମନ୍ତ୍ରୀ ହେବା ପରେ ଗଣତାନ୍ତ୍ରିକ ବିଦ୍ଧି ଅନୁସାରେ ଅନ୍ୟର ମତକୁ ଶୁଣିବା ଦରକାର ଓ ସମ୍ମାନ ଦେବା ଦରକାର । ହେଲେ ତାହା ହେଉନଥିବା ସୈାମ୍ୟରଞ୍ଜନ ଦର୍ଶାଇବାକୁ ଚାହିଁଥିଲେ ।
ହରିଶ୍ଚନ୍ଦ୍ର ବକ୍ସି ପାତ୍ରଙ୍କ ଜୟନ୍ତୀରେ ଅତିଥି ଭାବରେ କେରଳ ରାଜ୍ୟପାଳ ଯୋଗ ଦେଇଥିଲେ । ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ସାଧାରଣ କିମ୍ବା ଅନ୍ୟ କେହି ଲୋକ ଯୋଗ ଦେଇନଥିଲେ । ମୁଖ୍ୟତଃ ବିଭିନ୍ନ କ୍ଷେତ୍ରର ରାଜନେତା ଓ ବୁଦ୍ଧିଜୀବି ମାନଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା । ଏହି କାର୍ଯ୍ୟକ୍ରମରେ ଖୋଲା ଖୋଲି ଭାବେ ସୈାମ୍ୟରଞ୍ଜନ ନିଜ ଦଳ ଓ ସରକାରର ମୁଖିଆଙ୍କୁ ଟାର୍ଗେଟ କରିବା ଓ ରାଜ୍ୟରେ ଏବଂ ଛାତ୍ର ନିର୍ବାଚନକୁ ବନ୍ଦ କରି ଭବିଷ୍ୟତ ରାଜନୀତିକୁ ଅନ୍ଧକାରକୁ ଠେଲି ଦିଆଯାଇଥିବା ଭଳି ଆକ୍ଷେପ କରିବା ବେଶ ପ୍ରାଣିଧାନ୍ୟ ଯୋଗ୍ୟ । ସେ ଆଉ ଦଳର ନିୟନ୍ତ୍ରଣ ଭିତରେ ନାହାନ୍ତି କିମ୍ବା ଦଳ ଆଉ ତାଙ୍କ ମୁହଁକୁ ବନ୍ଦ କରିବାରେ ସମର୍ଥ ହେଉ ନଥିବା କଥା ଆଲୋଚନା ହେଉଛି । ଏକଥା ବି କୁହାଯାଉଛି ସୈାମ୍ୟଙ୍କ କ୍ଷେତ୍ରରେ ଦଳ ଅସହାୟ ହୋଇଛି । ଅନ୍ୟ କୈାଣସି ନେତା ଏଭଳି କହୁଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି । ଯେହେତୁ ସୈାମ୍ୟଙ୍କ ହାତରେ ଶକ୍ତିଶାଳୀ ଗଣମାଧ୍ୟମ ରହିଛି ସେଥିପାଇଁ ସେ ଯାହା କହିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦିଆଯାଉଛି ବୋଲି ଅନେକ ମତ ରଖୁଛନ୍ତି ।