26.1 C
Bhubaneswar
Tuesday, March 18, 2025
Homeଓଡିଶାପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ୯୦ ବର୍ଷ ବୟସରେ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି । ବ୍ରହ୍ମପୁର ଏବଂ କଟକରୁ ସାଂସଦ ଥିଲେ ଜୟନ୍ତୀ ପଟ୍ଟନାୟକ । ସେ ପ୍ରଥମ ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଜୟନ୍ତୀ ଏହି ଦାୟିତ୍ୱ ତୁଲାଇଥିଲେ । ୯୦ ବର୍ଷ ବୟସରେ ଦେହାନ୍ତ କରିଛନ୍ତି ବୋଲି ଓପିସିସିର ପୂର୍ବତନ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜଣେ ସମାଜସେବୀ ଭାବରେ ସେ ସୁପରିଚିତ ଥିଲେ । ତାଙ୍କ ସମୟରେ କଂଗ୍ରେସ ମହିଳା ନେତୃତ୍ୱ ମାନଙ୍କ ମଧ୍ୟରେ ସେ ଖୁବ୍ ଲୋକପ୍ରିୟ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜଣେ ସକ୍ରିୟ ସାଂସଦ ଭାବରେ ପରିଚିତ ଥିଲେ ।
ସୂଚନାଯୋଗ୍ୟ, ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ ପଟ୍ଟନାୟକ । ସେ ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ମଧ୍ୟ ଥିଲେ । ୧୯୮୧ ମସିହାରେ ସେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହାତ ଧରିଥିଲେ । ରାଜନୀତି କ୍ୟାରିୟରରେ ସେ ମୋଟ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୧ରେ ପ୍ରଥମ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୪ରେ ଦ୍ୱିତୀୟ ଥର କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ସେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ପ୍ରଥମ ଓଡିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ଓଡିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking