ଖାର୍କିଭ୍ : ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଏବେ ଖାର୍କିଭ୍ର ଇଜୁମ୍ରୁ ଏକ ସାମୂହିକ କବର ମିଳିଛି । ଏଠାରେ ପ୍ରାୟ ୪୦୦ ଶବକୁ ଗୋଟିଏ ସ୍ଥାନରେ ପୋତି ଦିଆଯାଇଛି । କବରରୁ ୧୭ ୟୁକ୍ରେନ୍ ସେନାଙ୍କ ଶବ ମଧ୍ୟ ରହିଛି । ୟୁକ୍ରେନ୍ ରାଷ୍ଟ୍ରପତି ବଲ୍ଡୋମିର୍ ଜେଲେନ୍ସ୍କି ଏହି ସୂଚନା ଦେଇଛନ୍ତି । ଛଅ ମାସର ରୁଷ୍ କବ୍ଜା ପରେ ୟୁକ୍ରେନ୍ ସେନା ସେପ୍ଟେମ୍ବର ୯ ତାରିଖରେ ଇଜୁମ୍କୁ ପୁଣିଥରେ ମୁକ୍ତ କରିଥିଲେ । ଏହି କବରର ଫଟୋରେ କାଠର କ୍ରସ୍ ଦେଖିବାକୁ ମିଳିଛି । ମାମଲାର ତଦନ୍ତ କରୁଥିବା ଅଧିକାରୀ ସେରହୀ ବୋଲଭିନୋଭ୍ ସ୍କାଇ ନ୍ୟୁଜ୍କୁ କହିଛନ୍ତି, ଏହା ମଧ୍ୟରୁ କେତେକ ଲୋକ ରୁଷ୍ ଏୟାର୍ ଷ୍ଟ୍ରାଇକ୍ରେ ପ୍ରାଣ ହରାଇଥିବା ବେଳେ ବାକି ଶବଗୁଡ଼ିକର ଫରେନ୍ସିକ୍ ଯାଞ୍ଚ କରାଯାଉଛି । ଇଜୁମ୍ ସାଇଟ୍ର ମୁଖ୍ୟ ତଦନ୍ତକାରୀ ଅଧିକାରୀ କହିଛନ୍ତି ଏହା ସହରର ସବୁଠୁ ବଡ଼ ସାମୂହିକ କବର ମଧ୍ୟରୁ ଅନ୍ୟତମ । ଏହା ପୂର୍ବରୁ ୟୁକ୍ରେନ୍ର ମାରିୟୁପୋଲ୍ ସହର ବାହାରେ ୨୦୦ ଶବର ଏକ ସାମୂହିକ କବର ମିଳିଥିଲା । ଅନ୍ତର୍ଜାତୀୟ ଅପରାଧ କୋର୍ଟ ଏହାର ତଦନ୍ତ ପାଇଁ ଇନ୍ଭେଷ୍ଟିଗେଟର୍ ଏବଂ ଫରେନ୍ସିକ୍ ଏକ୍ସପର୍ଟଙ୍କ ଏକ ଟିମ୍ ୟୁକ୍ରେନ୍ ପଠାଇଛି । ଫେବୃଆରୀରେ ଯୁଦ୍ଧର ପ୍ରାରମ୍ଭିକ ଅବସ୍ଥାରେ ରୁଷ ସେନା ବୁଚାରେ ତାଣ୍ଡବ ରଚିଥିଲେ । ଯୁଦ୍ଧ ଅବସରରେ ବୁଚାରେ ୪୦୦ରୁ ଅଧିକ ଶବ ମିଳିଥିଲା । ୟୁକ୍ରେନ୍ ଅଧିକାରୀଙ୍କ ଅନୁସାରେ ବୁଚାରେ ସଂଘର୍ଷ ଯୁଦ୍ଧର ସବୁଠୁ ଭୟଙ୍କର ସଂଘର୍ଷ ମଧ୍ୟରୁ ଅନ୍ୟତମ ଥିଲା । ଏଠାରେ ଏୟାର୍ଷ୍ଟ୍ରାଇକ୍ ଏବଂ ବୋମା ବର୍ଷଣ ଫଳରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ।