ନୂଆଦିଲ୍ଲୀ: ରେଳ ଟିକେଟ୍ରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ କିମ୍ବା କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଦିଆଯାଉଥିବା ରିହାତିକୁ ପୁଣିଥରେ ଲାଗୁ କରିବା ପାଇଁ ସରକାରଙ୍କ ଯୋଜନା ନାହିଁ । ଲୋକସଭାରେ ସାଂସଦ ମହମ୍ମଦ ଫୈଜଲ୍ ପିପି ଏବଂ ଆଣ୍ଟୋ ଆଣ୍ଟୋନୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ କୁହାଯାଇଛି । ଏହାର କାରଣସ୍ୱରୂପ ରେଳବାଇର କ୍ଷତିକୁ ଦର୍ଶାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବରିଷ୍ଠ ନାଗରିକଙ୍କୁ ଟିକେଟ୍ ଉପରେ ଦିଆଯାଉଥିବା ରିହାତି ଫଳରେ ରେଳବାଇର ୨୦୧୭-୧୮ରେ ୧୪୯୧ କୋଟି, ୨୦୧୮-୧୯ରେ ୧୬୫୩ କୋଟି ଏବଂ ୨୦୧୯-୨୦ରେ ୧୬୬୭ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ତେବେ କେବଳ ସ୍ୱତନ୍ତ୍ର ବର୍ଗର ଲୋକଙ୍କ ପାଇଁ ପୁଣିଥରେ ଏହି ରିହାତି ସୁବିଧା ଆରମ୍ଭ କରାଯାଇଛି । ଏଥିରେ ଚାରିଟି ଶ୍ରେଣୀର ଭିନ୍ନକ୍ଷମ ଏବଂ ୧୧ଟି ଶ୍ରେଣୀର ରୋଗୀ ଏବଂ ଛାତ୍ର ସାମିଲ । ବରିଷ୍ଠ ନାଗରିକ ଏବଂ ଖେଳାଳିଙ୍କ ସମେତ ବାକି ବର୍ଗର ଯାତ୍ରୀଙ୍କ ପାଇଁ ଏହି ସୁବିଧା ପୁଣିଥରେ ଲାଗୁ କରାଯାଇ ନାହିଁ ।