ବ୍ରହ୍ମପୁର: ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଦେଇଥିବା ଏକ ମାମଲାର ବିଚାରଣା କରି ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସ କୋର୍ଟ ଜଜ୍ ଗୁରୁପ୍ରସାଦ ସାହୁ ରାୟ ପ୍ରକଶ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣ ଭିତ୍ତିକରି ଅଭିଯୁକ୍ତ ରବିନ୍ଦ୍ର ରଣାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହାସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡ଼ିତ ନାବାଳକଙ୍କୁ ୫ ଲକ୍ଷ ଆର୍ôଥକ ସହାୟତା ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୧୪ ଫେବୃଆରୀ ୧୫ ତାରିଖରେ ଅଭିଯୁକ୍ତ ରବିନ୍ଦ୍ର ଜଣେ ନାବାଳକଙ୍କୁ ଡାକି ନେଇ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ଘଟଣାସମ୍ପର୍କରେ ଜଣାପଡ଼ିବା ପରେ ପୀଡ଼ିତ ନାବାଳକଙ୍କ ପରିବାର ଲୋକେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ତତକାଳୀନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ରବିନ୍ଦ୍ର ଜାମିନରେ ମୁକୁଳିଥିଲେ । ଏହି ମାମଲାର ବିଚାରଣା ଚାଲୁଥିବା ବେଳେ ୧୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜଜ ଆଜି ଉପରୋକ୍ତ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମାମଲା ପରିଚାଳନା କରୁଥିଲେ ।